ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଥିବାବେଳେ ଭାରତ ଚୋରା ଚାଲାଣ ହୋଇଥିବା ୨୯୭ଟି ପ୍ରାଚୀନ କଳାକୃତିକୁ ଆମେରିକାରୁ ହସ୍ତାନ୍ତରିତ ହୋଇଛି। ୨୦୦୦ ଖ୍ରୀଷ୍ଟପୂର୍ବରୁ ୧୯୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହିସବୁ କଳାକୃତି ଗୁଡିକ ନିର୍ମିତ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ପ୍ରାଚୀନ କଳାକୃତି ବେଆଇନ ଚାଲାଣ ବିରୋଧରେ ଲଢ଼େଇକୁ ସୁଦୃଢ଼ କରିବା ପାଇଁ ଭାରତ-ଆମେରିକା ପୂର୍ବରୁ ଚୁକ୍ତି ହୋଇଥିବା ବେଳେ ଏହି ପ୍ରକ୍ରିୟାରେ ଭାରତରୁ ଚୋରା ଚାଲାଣ ହୋଇଥିବା ସାମଗ୍ରୀ ଆମେରିକାରେ ଠାବ ହେବାପରେ ଏହାକୁ ଆମେରିକା ଭାରତକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ ‘ଭାରତକୁ ଏବେ ପୁଣି ଥରେ ଆମେରିକା ୨୯୭ଟି ଅମୂଲ୍ୟ କଳାକୃତି ଫେରାଇ ଦେଇଥିବାରୁ ମୁଁ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକା ସରକାରକୁ ଧନ୍ୟବାଦ ଜଣାଉଛି। ଏହି କଳାକୃତି କେବଳ ଭାରତର ଐତିହାସିକ ଭୌତିକ ସଂସ୍କୃତିର ଅଂଶ ନୁହେଁ, ବରଂ ଏହା ସଭ୍ୟତା ଓ ଚେତନା ସହ ଜଡ଼ିତ’ ପୋଷ୍ଟ କରିଛନ୍ତି । ତେବେ ଏହି ୨୯୭ଟି ପ୍ରାଚୀନ ତଥା ଐତିହାସିକ କଳାକୃତି ସମେତ ୨୦୧୪ ମସିହାରୁ ଭାରତ ହାସଲ କରିଥିବା କଳାକୃତି ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ କେବଳ ଆମେରିକାରୁ ହସ୍ତାନ୍ତର ହୋଇଥିବା କଳାକୃତି ସଂଖ୍ୟା ୫୭୮ ବୋଲି ସୂଚନା ମିଳିଛି।
ପ୍ରକାଶଥାଉ କି, ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ବ୍ରୋଞ୍ଜ ନଟରାଜ ମୂର୍ତ୍ତି ସମେତ ୧୫୭ଟି ପ୍ରାଚୀନ କଳାକୃତିକୁ ଆମେରିକା ପକ୍ଷରୁ ହସ୍ତାନ୍ତର କରାଯାଇଥିଲା। ସେହିପରି ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର କିଛି ଦିନ ପରେ ୧୦୫ଟି କଳାକୃତି ଭାରତକୁ ଫେରାଇ ଦିଆଯାଇଥିଲା।