କେନ୍ଦୁଝର: ରବିବାର ମୁଖ୍ୟମନ୍ତ୍ରୀଙ୍କର ୩ ଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନ ହୋଇଥିବା ବେଳେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ ‘ରାଜ୍ୟରେ ସରକାର ଲୋକଙ୍କ ହୃଦୟରେ ହସ ଫୁଟାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ବଦ୍ଧପରିକର। ଆମ ପାଇଁ ଆମ ସଂକଳ୍ପପତ୍ର ଆମ ଧର୍ମଗ୍ରନ୍ଥ ।’ ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସିଧାସଳଖ ଭାବରେ ଲୋକଙ୍କ ଅଭିଯୋଗ ଶୁଣି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଅଭିଯୋଗ ଶୁଣାଣିକୁ ଦୃଷ୍ଟିରେ ରଖି ରବିବାର କେନ୍ଦୁଝରଠାରେ ରାଜ୍ୟର ପ୍ରଥମ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲାଯାଇଛି ।
କେନ୍ଦୁଝରର ବିକାଶ ଉପରେ ଆଲୋକପାତ କରି ଆଗାମୀ ଦିନରେ ଜିଲ୍ଲାରେ ଗମନାଗମନ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ରେଳ ବିକାଶ ସମେତ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ସରକାର ହାତକୁ ନେବା ସହ ଚଳିତ ବର୍ଷ ଧରଣୀଧର ମେଡ଼ିକାଲ କଲେଜରେ ଟ୍ରମା କେୟାର କେନ୍ଦ୍ର ଖୋଲାଯିବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝରର ବିକାଶ ପାଇଁ ୯୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଅସଂପୂର୍ଣ୍ଣ ଥିବା କାନୁପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଜୁନ୍ ମାସ ସୁଦ୍ଧା କାର୍ଯ୍ୟକ୍ଷମ କରିବା, ବଡ଼ବିଲ୍-ପାରାଦୀପ ୮ ଲେନ୍ ବିଶିଷ୍ଟ ରାସ୍ତା ପ୍ରକଳ୍ପ, ଉତ୍ତର ଓଡ଼ିଶା ବିକାଶ ପରିଷଦ ମଧ୍ୟ ଗଠନ, ମା’ତାରିଣୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, କେନ୍ଦୁଝରରେ ବନ୍ଦେ ଭାରତ ଏକ୍ସପ୍ରେସ୍ ତଥା କେନ୍ଦୁଝରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ସମ୍ବନ୍ଧରେ ଆଲୋଚନା କରିଥିଲେ।
ଏହି ପରିପ୍ରେକ୍ଷୀରେ ୧୦୦ ଦିନ ମଧ୍ୟରେ ରାଜ୍ୟର ବିକାଶ ଉପରେ ଆଲୋକପାତ କରି ଲାଗୁ ହୋଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମମତା ଦାସ, କନକଲତା ମହାନ୍ତ, ଆଲୁମୁନି ମାରାଣ୍ଡିଙ୍କୁ ‘ସୁଭଦ୍ରା’ ସହାୟତା, ସୁଭଦ୍ରା ମୁଣ୍ଡା, ରୂପନାରାୟଣ ପାତ୍ର, ରବୀନ୍ଦ୍ରନାଥ ମହାନ୍ତଙ୍କୁ ‘ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା’ ଏବଂ ରୁକୁଣୀ ମହାନ୍ତ ଓ ସୁଚିତ୍ରା ସାହୁଙ୍କୁ ‘ନିର୍ମାଣ ଶ୍ରମିକ ପରିଚୟପତ୍ର’ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାୟକ, କେନ୍ଦୁଝର ପୌରାଧ୍ୟକ୍ଷା ନିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।