କଲମ୍ବୋ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ମାର୍କ୍ସବାଦୀ ଅନୁରା କୁମାର ଦିଶାନାୟକେ ନିର୍ବାଚିତ ହୋଇଛନ୍ତି।ଦଶନ୍ଧିର ସବୁଠାରୁ ଭୟଙ୍କର ଆର୍ଥିକ ସଙ୍କଟ ପରେ ଦୁର୍ନୀତି ବିରୋଧରେ ଲଢ଼ିବା ଏବଂ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ୫୫ ବର୍ଷୀୟ ଦିଶାନାୟକେଙ୍କ ସଂକଳ୍ପ ଉପରେ ଦେଶବାସୀ ବିଶ୍ୱାସ କରିଛନ୍ତି। ଶ୍ରୀଲଙ୍କା ନବମ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିବେ। ଦିଶାନାୟକେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସାଜିଥ ପ୍ରେମାଦାସା ଏବଂ ରାନିଲ ବିକ୍ରମେସିଂଘେଙ୍କୁ ପରାସ୍ତ କରିଛନ୍ତି। ଅନୁରା କୁମାର ଦିସାନାୟକେ କଲମ୍ବୋ ଜିଲ୍ଲାର ସାଂସଦ ହୋଇଥିବା ବେଳେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ସେ ମାର୍କ୍ସବାଦୀ ଜନତା ବିମୁକ୍ତି ପେରାମୁନା (ଜେଭିପି) ଦଳର ବ୍ୟାପକ ମୋର୍ଚ୍ଚା ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ମିଳିତ ମଞ୍ଚର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ୨୨ ଟି ନିର୍ବାଚନ ଜିଲ୍ଲାରେ ମତଦାନ ଗ୍ରହଣ ହୋଇଥିଲା। ଏଥିପାଇଁ ୧୩,୪୦୦ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ତେବେ ଶନିବାର ରାତିରୁ କର୍ଫ୍ୟୁ ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା।
ପ୍ରକାଶଥାଉ କି, ୨୦୨୨ ମସିହାରେ ଶ୍ରୀଲଙ୍କାରେ ହୋଇଥିବା ଆର୍ଥିକ ସଙ୍କଟ ପରେ ଏହା ହେଉଛି ପ୍ରଥମ ରାଷ୍ଟ୍ରପତି ନିର୍ବାଚନ। ଖାଦ୍ୟ ଶସ୍ୟ, ଇନ୍ଧନ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଅଭାବ ମଧ୍ୟରେ ଶ୍ରୀଲଙ୍କା ଏପ୍ରିଲ୍ ୨୦୨୨ ରେ ଦେବାଳିଆ ହେବା ସହିତ ଏକ ମାସ ପର୍ଯ୍ୟନ୍ତ ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେବା ପରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ଇସ୍ତଫା ଦେବା ସହିତ ଶ୍ରୀଲଙ୍କା ଛାଡିବାକୁ ବାଧ୍ୟ ହୋଇଥିଲେ। ଏହାର କିଛି ସପ୍ତାହ ପରେ ସାସଂଦ ବିକ୍ରମସିଂଘେ ନୂତନ ରାଷ୍ଟ୍ରପତି ଭାବରେ ନିଯୁକ୍ତ ହୋଇଥିଲେ।