ନୂଆଦିଲ୍ଲୀ: ରୋଗ ହେଲେ ଔଷଧ ସେବନ କରାଯାଏ । କମ ମାତ୍ରା ଔଷଧ କାମ ନକଲେ ତାହାର ଉପର ମାତ୍ରାର ଔଷଧ ଦିଆଯାଏ; କିନ୍ତୁ ଯଦି ଔଷଧ ଆଦୋ÷ କାମ ନକରେ ତେବେ କ’ଣ କରାଯିବ? ଏବେ ଏହିଭଳି ଏକ ଡରାଇଲା ଭଳି ସୂଚନା ଦେଇଛି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) । ପରିଷଦ ପକ୍ଷରୁ କୁହାଯାଇଛି, ୟୁରିନାରୀ ଟ୍ରାକ୍ସ ଇନଫେକ୍ସନ (ୟୁଟିଆଇ), ରକ୍ତ ସଂକ୍ରମଣ, ନୁ୍ୟମୋନିଆ, ଟାଇଫଏଡ ଆଦି ରୋଗର ଚିକିତ୍ସା କରିବା କଷ୍ଟକର ହୋଇପଡିଛି । କାରଣ ଏହି ରୋଗ ସୃଷ୍ଟି କରୁଥିବା ବ୍ୟାକଟେରିଆ କ୍ଷେତ୍ରରେ ଆଉ ସାଧାରଣରେ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍ସ ପ୍ରଭାବୀ ହେଉନାହିଁ । ଚିକିତ୍ସକମାନଙ୍କ କହିବା କଥା, ଏହି ସବୁ ରୋଗ ଆଣ୍ଟିବାୟୋଟିକ୍ସ ପ୍ରତିରୋଧୀ ହୋଇଯାଇଛି ।
ଆଇସିଏମଆରର ଆଣ୍ଟିମାଇକ୍ରୋବାଏଲ ରେଜିଷ୍ଟାନ୍ସ ସର୍ଭେଲାନ୍ସ ନେଟୱର୍କ (ଏଏମଆରଏସଏନ) ତାହାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ମୁଖ୍ୟତଃ ନୁ୍ୟମୋନିଆ, ସେପସିସ୍ , ରେସପିରେଟୋରୀ ସଂକ୍ରମଣ ଏବଂ ଡାଇରିଆ ଭଳି ସଂକ୍ରମଣ ରୋକିବା ନିମନ୍ତେ ବ୍ୟବହାର କରାଯାଉଥିବା ଆଣ୍ଟିବାୟୋଟିକ୍ସ ଉପରେ ଦୃଷ୍ଟିନିବଦ୍ଧ କରିଥିଲା । ଏଥିପାଇଁ ଦେଶର ବିଭିନ୍ନ ଭାଗରେ ଥିବା କ୍ଲିନିକ ଓ ହସପିଟାଲଗୁଡିକରୁ ଉଭୟ ଓପିଡି ଓ ଇଣ୍ଟେନସିଭ କେୟାର ୟୁନିଟରେ ଚିକିତ୍ସିତ ରୋଗୀଙ୍କର ତଥ୍ୟ ସଂଗ୍ରହ କରାଯାଇଥିଲା । ସେଗୁଡିକର ବିଶ୍ଳେଷଣରୁ ଜଣାପଡିଲା ଯେ ଇ.କୋଲି ଭଳି ବ୍ୟାକଟେରିଆ କ୍ଷେତ୍ରରେ ସେଫୋଟାକ୍ସିମ, ସେଫଟାଜିଡାଇମ, ସିପ୍ରୋଫ୍ଲୋକ୍ସାସିନ ଏବଂ ଲିଭୋଫ୍ଲୋକ୍ସାସିନ ଭଳି ଆଣ୍ଟିବାୟୋଟିକ୍ସର ପ୍ରଭାବ ୨୦ ପ୍ରତିଶତରୁ କମ ରହିଥିଲା ।