ହାଇଦ୍ରାବାଦ: ଦିନକୁ ଦିନ ଆନ୍ଧ୍ରପ୍ରଦେଶରେ ଥିବା ବିଶ୍ବପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ପ୍ରସାଦକୁ ନେଇ ବିବାଦ ତେଜୁଛି। ମନ୍ଦିରର ଭୋଗଲଡୁରେ ପଶୁ ଚର୍ବି ସହ ମାଛ ତେଲ ଆଦି ମିଶିଥିବା କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆସନ୍ତୋଷ ଜାରି ରହିଛି। ତେବେ ମନ୍ଦିରର ଶୁଦ୍ଧିକରଣ ଓ ଶାନ୍ତି ପାଇଁ ମହାଶାନ୍ତି ହୋମ ଯଜ୍ଞ ଆୟୋଜନ କରିଛି ତିରୁମାଲା ତିରୁପତି ଦେବସ୍ଥାନମ୍। ମନ୍ଦିର ଟ୍ରଷ୍ଟ ତଥା ଟିଟିଡି (ତିରୁମାଲା ତିରୁପତି ଦେବସ୍ଥାନମ୍) ପକ୍ଷରୁ ଆୟୋଜିତ ଏହି ଯଜ୍ଞରେ ପୁରୋହିତଙ୍କ ସମେତ ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଶାମାଲା ରାଓ ଏବଂ ବୋର୍ଡର ଅନ୍ୟ ଅଧିକାରୀମାନେ ଯୋଗ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ଏହି ଲଡ଼ୁ ବିବାଦ ସାମ୍ନାକୁ ଆସିବା ପରେ ୩ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲେ। ଏଥିରେ ପରମ୍ପରା ଅନୁଯାୟୀ ମନ୍ଦିରକୁ ଶୁଦ୍ଧ କରାଯିବା ସହିତ ଆଇଜିପି ସ୍ତରରେ ସମଗ୍ର ଘଟଣାର ଅନୁସନ୍ଧାନ, ସମସ୍ତ ମନ୍ଦିର ପାଇଁ ଏସଓପି ପ୍ରସ୍ତୁତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଆହୁରି ମଧ୍ୟ ସମସ୍ତ ଅନିୟମିତତାର ତଦନ୍ତ କରିବା ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁ ଏକ ଏସ୍ଆଇଟି (ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍) ଗଠନ କରିଛନ୍ତି।
ପ୍ରକାଶଥାଉ କି, ତିରୁପତି ବାଲାଜୀ ମନ୍ଦିରରେ ମିଳୁଥିବା ପ୍ରସାଦ ଲଡୁର ଖୁବ୍ ଚାହିଦା ରହି ଆସିଥିବା ବେଳେ ଏହି ଲଡୁ ଭୋଗ ବିନା ଭଗବାନଙ୍କ ଦର୍ଶନ ଅସମ୍ପୂର୍ଣ୍ଣ ବୋଲି କୁହାଯାଏ । ଦୈନିକ ପ୍ରାୟ ୮ ଲକ୍ଷ ଲଡୁ ତିଆରି କରିବା ପାଇଁ ୧୦ ଟନ ବେସନ, ୧୦ ଟନ ଚିନି, ୭୦୦ କେଜି କାଜୁ, ୧୫୦ କିଲୋ ଗୁଜୁରାତି, ୩୦୦ ରୁ ୪୦୦ ଲିଟର ଘିଅ, ୫୦୦ କିଲୋ ମିଶ୍ରି, ୫୪୦ କିଲୋ କିଶମିଶ ବ୍ୟବହାର କରାଯାଏ । କିନ୍ତୁ ଏହି ଲଡୁ ଭୋଗ ପାଇଁ ବ୍ୟବହୃତ ହେଉଥିବା ଘିଅରେ ମାଛ ତେଲ, ପଶୁ ଚର୍ବି ଆଦି ବ୍ୟବହୃତ ହେଉଥିବା ନେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିବା ପରେ ଏହି ଘିଅର ନମୁନା ଯାଞ୍ଚ ପାଇଁ ଗୁଜରାଟକୁ ପଠା ଯାଇଥିଲା । ତେବେ ଜାତୀୟ ଡାଏରୀ ବିକାଶ ବୋର୍ଡ ଲ୍ୟାବ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପ୍ରସାଦ ପାଇଁ ବ୍ୟବହୃତ ହେଉଥିବା ଘିଅରେ ମାଛତେଲ, ସୋୟାବିନ୍ ତେଲ, ଏବଂ ପଶୁ ଚର୍ବି ଇତ୍ୟାଦି ମିଶ୍ରିତ ଥିବା ସ୍ପଷ୍ଟ ହୋଇଥିଲା ।