ଭୁବନେଶ୍ୱର,(ବ୍ୟୁରୋ): ଭରତପୁର ଥାନାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଥାନାରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ମାଡ଼ରେ ଜଣେ ଅଭିଯୋଗକାରୀ ଯୁବତୀ ଲହୁଲୁହାଣ ହୋଇଥିଲେ । ଅଭିଯୋଗକାରୀ ଯୁବତୀଙ୍କ ସହ ଘଟଣା ଦିନ ଆର୍ମିର ଜଣେ ମେଜର ମଧ୍ୟ ଥିଲେ । ଯାହାକୁ ନେଇ ଗତ ୫ ଦିନ ହେବ ସାରା ରାଜ୍ୟରେ ପୋଲିସର ବର୍ବରତାକୁ ନେଇ ଚର୍ଚ୍ଚା । ଭରତପୁରର ନୂତନ ଥାନା ଗୃହ ଚଳିତବର୍ଷ ମାର୍ଚ୍ଚ ମାସରେ ଉଦଘାଟନ ହୋଇଥିଲେ ମଧ୍ୟ ଉକ୍ତ ଥାନାରେ ସିସିଟିଭି ନ ଲାଗିବା ପୋଲିସର କାର୍ଯ୍ୟଶୈଳୀକୁ ସନ୍ଦେହ ଘରକୁ ଟାଣି ନେଇଛି । ଯଦି ଥାନା ପରିସରରେ ସିସିଟିଭି କ୍ୟାମେରା ଲାଗିଥାନ୍ତା ତେବେ ପ୍ରକୃତ ପକ୍ଷେ କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ସ୍ପଷ୍ଟ ଜଣାପଡ଼ିଥାନ୍ତା । ଯେଉଁ କାରଣକୁ ନେଇ ପୋଲିସ ଆଜି ଯେଉଁ ସାରା ଦେଶରେ ବଦନାମ ମୁଣ୍ଡାଉଛି ତାହା ହୋଇ ନ ଥାନ୍ତା ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା । ଏସବୁ ମଧ୍ୟରେ ସୋମବାର ଥାନାରେ ରିଷ୍ଟ ଖଣ୍ଡନ ଲାଗି ହୋମ କରାଯିବା ସହ ପୂଜାପାଠ ମଧ୍ୟ କରାଯାଇଛି । ସକାଳୁ ସକାଳୁ ଥାନାରେ ନୂଆକରି ଥାନାଧିକାରୀ ଭାବେ ଯୋଗଦେଇଥିବା ଦୀପକ ଖଣ୍ଡାୟତରାୟ ପୂଜାରେ ବସିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳର ରବି ମିଶ୍ର ନାମକ ଜଣେ ପୂଜକ ପୂଜା କରିଥିଲେ । ପରେ ଥାନାର ମୁଖ୍ୟ ପ୍ରବେଶ ଦ୍ୱାରରେ ଲେମ୍ବୁ ଲଙ୍କା ବନ୍ଧାହୋଇଥିଲା । ସାଧାରଣତଃ ଥାନାମାନଙ୍କରେ ଏଭଳି ପୂଜା ପାଠ ଖୁବ କମ ହେଉଥିବାରୁ ଭରତପୁର ଥାନାଧିକାରୀଙ୍କ ଏହି ପୂଜାପାଠ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ଏନେଇ ନୂତନ ଥାନାଧିକାରୀ ଖଣ୍ଡାୟତରାୟଙ୍କୁ ଏନେଇ ପଚାରିବାରୁ ସେ ଆଜିଠାରୁ କାର୍ଯ୍ୟରେ ଯୋଗଦେଇଥିବାରୁ ଥାନାରେ ପୂଜା କରିଥିବା କହିଥିଲେ । ଏହା ଏକ ସ୍ୱଭାବିକ କାର୍ଯ୍ୟକ୍ରମ ବୋଲି ଦୀପକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇଥିଲେ । ଅନ୍ୟପକ୍ଷରେ ପୂଜକ ରବି ମିଶ୍ର କିନ୍ତୁ ଥାନାର ରିଷ୍ଟ ଖଣ୍ଡନ ଲାଗି ଏଭଳି ଏକ ହୋମ ଯଜ୍ଞର ଆୟୋଜନ କରାଯାଇଥିବା ମତ ଦେଇଛନ୍ତି ।
ଏହାରି ମଧ୍ୟରେ ସୋମବାର ଠାରୁ ଭରତପୁର ଥାନାରେ ସିସିଟିଭି କ୍ୟାମେରା ଲାଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ନୂତନ ଥାନା ଗୃହ ଉଦଘାଟନ ହେବାର ୬ ମାସ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଥାନାରେ ସିସି କ୍ୟାମେରା ଲାଗି ନ ଥିଲା । ତେଣୁ ଏହି ଘଟଣା ପରେ ତୁରନ୍ତ ସିସିଟିଭି କ୍ୟାମେରା ଲଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୁଣା ତଥା ଅସ୍ଥାୟୀ ଥାନାରେ ଲାଗିଥିବା ସିସି କ୍ୟାମେରା ଗୁଡ଼ିକ ବାହାର କରାଯାଇ ନୂତନ ଥାନା ଗୃହରେ ରଖାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଲାଗି ପାରି ନ ଥିଲା । ଏହି ଘଟଣା ଘଟିବା ପରେ ବିଭିନ୍ନ ବିଭାଗ ପକ୍ଷରୁ ଏହାର ତନାଘନ ହେବା ପରେ ରବିବାର ଓକାକର ଅଧିକାରୀମାନେ ଥାନାରେ ପହଞ୍ଚି କେଉଁ କେଉଁ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିବ ତାହାର ତଦାରଖ କରିଥିଲେ । ସୋମବାର ଠାରୁ ଏହି ସିସିଟିଭି କ୍ୟାମେରା ଗୁଡ଼ିକ ଥାନାର ବିଭିନ୍ନ ସ୍ଥାନରେ ଲାଗିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାର ତଦାରଖ ନିଜେ ଥାନାଧିକାରୀ କରୁଥିବା ଦେଖିବାକୁ ମିଳିଥିଲା ।
ସବୁ ଥାନାଧିକାରୀଙ୍କୁ ରିପୋର୍ଟ ତଲବ : ୨୧ ତାରିଖ ସନ୍ଧ୍ୟାରେ ଭରତପୁର ଥାନା ମାମଲାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜଧାନୀର ସମସ୍ତ ଥାନାଧିକାରୀ ୧୨୦ ବାଟାଲିୟନ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ । ତେବେ ସେମାନେ କାହିଁକି ଓ କାହା ନିର୍ଦ୍ଦେଶରେ ଏଠାରେ ମେଳି ହୋଇଥିଲେ ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି । ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜଧାନୀରେ ନ ଥିଲେ । ଏପରିସ୍ଥଳେ ଥାନା କର୍ମଚାରୀମାନଙ୍କୁ ଏଠାରେ ମେଳି କରିବାକୁ କିଏ ଅନୁମତି ଦେଇଥିଲା ତାହାର ତନାଘନା ସ୍ୱରୁପ ସୋମବାର ସନ୍ଧ୍ୟାରେ ସବୁ ଥାନାଧିକାରୀମାନଙ୍କୁ ରିଜର୍ଭ ଇନ୍ସପେକ୍ଟରଙ୍କ ତରଫରୁ ଏକ ପତ୍ର ଦିଆଯାଇଛି । ୨୧ ତାରିଖ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଥାନାରେ କେଉଁମାନେ ଡିଉଟି କରୁଥିଲେ, ଖାସ କରି କେଉଁ ଥାନାରେ କେଉଁମାନେ ସେଣ୍ଟ୍ରି, ଡିସିଓ ଓ ଜରୁରୀକାଳୀନ ଅଧିକାରୀ ଥିଲେ ତାହାର ତୁରନ୍ତ ତାଲିକା ଦେବାକୁ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।