ଭୁବନେଶ୍ୱର: ଭରତପୁର ପୋଲିସ ଷ୍ଟେସନ ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିବା ସହ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିଷୟରେ ପ୍ରତ୍ୟେକ ବ୍ୟକ୍ତି, ସଙ୍ଗଠନ ନିଜସ୍ୱ ମତ ରଖୁଥିବାବେଳେ ପ୍ରକୃତ ସତ୍ୟଠାରୁ ବହୁ ଦୂରରେ ରହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳ ଗୁଡିକ କୌଣସି ଗଠନମୂଳକ ପରାମର୍ଶ ଦେବା ପରିବର୍ତେ ରାଜନୀତି କରିବାକୁ ଉଦ୍ୟମ କରୁଛନ୍ତି । ସେମାନେ ସମସ୍ୟାର ସମାଧାନ ନ ଖୋଜି ନିଜ ରାଜନୈତିକ ଗୋଟି ଚଳାଇବା ପାଇଁ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଅଯଥାରେ ଧର୍ମଘଟ ଓ ଆନ୍ଦୋଳନ କରୁଛନ୍ତି । ଏହାଦ୍ୱାରା ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷେ ଏହି ସଙ୍କଟ ସମୟରେ ନିଜର ପରିପକ୍ୱତା ଓ ସୁଶାସନର ପରିଚୟ ଦେଇ ମାମଲାର ସମାଧାନ ପାଇଁ ସରକାର ବିହୀତ ପଦକ୍ଷେପ ନେଇଛନ୍ତି। ଏନେଇ ଇଏସ୍ଏମ୍ (ରାଜ୍ୟ ପୂର୍ବ ସୈନିକ ପକୋଷ୍ଠ) ମୁଖମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ବିଜେପି ସରକାରଙ୍କୁ ପ୍ରଶଂସା କରିଛନ୍ତି।
ରବିବାର ଭରତପୁର ପ୍ରସଙ୍ଗକୁ ନେଇ ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଇଏସ୍ଏମ୍ ପ୍ରକୋଷ୍ଠର ସହ-ସଂଯୋଜକ କର୍ଣ୍ଣେଲ ମୋହନ ପ୍ରସାଦ ନନ୍ଦ, କର୍ଣ୍ଣେଲ ପି.କେ ପ୍ରଧାନ, ମାନସ ଶତପଥୀ ଓ ଅନ୍ୟ ବରିଷ୍ଠ ପୂର୍ବତନ ସେନାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଇଏସ୍ଏମ୍ ପ୍ରକୋଷ୍ଠର ସଦସ୍ୟମାନେ ଉପସ୍ଥିତ ରହି ଘଟଣାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତି ପରିଡ଼ା, ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସଦସ୍ୟ ରହିବା ସହିତ ଇଏସ୍ଏମ୍ ପ୍ରକୋଷ୍ଠର ବରିଷ୍ଠ ସଦସ୍ୟମାନଙ୍କ ସହ ଆଲୋଚନା କରି ଏକ ନିରପେକ୍ଷ, ସମୟୋଚିତ ନ୍ୟାୟିକ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଇଏସ୍ଏମ୍ ପ୍ରକୋଷ୍ଠର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।