ହାଇଦରାବାଦ: ତିରୁପତିଙ୍କ ପ୍ରସାଦ ଆକାରରେ ଶ୍ରଦ୍ଧାଳୁଙ୍କୁ ଦିଆଯାଉଥିବା ଲଡୁରେ ପଶୁ ଚର୍ବି ମିଶିବା ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେ ଆଉ ଏକ ଅଭିଯୋଗ ଆସିଛି । ଜଣେ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି ଯେ ଉକ୍ତ ଲଡୁରେ ତମାଖୁର କିଛି ଅଂଶ ବାହାରିଛି । ଏପରିକି ସେ ଏହାର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି । ଆନ୍ଧ୍ରପ୍ରଦେଶର ଜଣେ ମହିଳା ଭକ୍ତ କହିଛନ୍ତି ଲଡୁ ଭିତରେ ଏକ କାଗରେ ଗୁଡାଯାଇଥିବା ତମାଖୁ ବାହାରିଥିଲା । ଉକ୍ତ ଲଡୁ ସେ ଭେଙ୍କଟେଶ୍ୱର ମନ୍ଦିର ଗସ୍ତ ସମୟରେ ପ୍ରସାଦ ଆକାରରେ ପାଇଥିଲେ ।
ଉକ୍ତ ମହିଳା ଭକ୍ତଙ୍କ ଘରା ଖମାମ ଜିଲାରେ । ସେପ୍ଟେମ୍ବର ୧୯ରେ ସେ ତିରୁପତି ମନ୍ଦିର ଦର୍ଶନରେ ଯାଇଥିଲା । ଅନ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭଳି ତାଙ୍କୁ ମଧ୍ୟ ପ୍ରସାଦ ଦିଆଯାଇଥିଲା ଏବଂ ସେ ତାହାକୁ ପରିବାରର ଅନ୍ୟ ସମସ୍ତ ଲୋକ ପାଇବା ନିମନ୍ତେ ଘରକୁ ନେଇଆସିଥିଲେ । ଘରେ ଉକ୍ତ ଲଡୁକୁ ଭାଙ୍ଗି ସେ ଅନ୍ୟମାନଙ୍କୁ ଦେବାକୁ ଯାଉଥିବା ସମୟରେ ଲଡୁ ଭିତରୁ ଏକ ଛୋଟ କାଗଜ ପୁଡିଆ ବାହାରିଥିଲା । ତାହାକୁ ଖୋଲିବା ପରେ ତାହା ଭିତରେ ତମାଖୁ ରହିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ହତଚକିତ ହୋଇଯାଇଥିଲେ । ଭଗବାନଙ୍କ ପ୍ରସାଦରେ ଏଭଳି ଅପମିଶ୍ରଣ କିଭଳି ହେଉଛି ବୋଲି ତାଙ୍କ ମନକୁ ଏବେ ପ୍ରଶ୍ନ ଉଠିଛି । ଉକ୍ତ ମହିଳା ଭକ୍ତଙ୍କର ଏଭଳି ଫଟୋ ଓ ଅଭିଯୋଗ ତିରୁପତି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତିଙ୍କ ଲଡୁରେ ପଶୁ ଚର୍ବିର ଅଂଶ ରହୁଥିବା ଅଭିଯୋଗ ଆଣିଥିଲେ । ତାହାକୁ ନେଇ ରାଜନୈତିକ ବାଦ ବିବାଦ ସୃଷ୍ଟି ହୋଇଥିବାବେଳେ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ।