ଦୀର୍ଘ ୨୪ ବର୍ଷ ପରେ ପରାଜୟ ବରଣ କରିଛି ବିଜେଡି। ଜନ ହିତକର ଯୋଜନା, ୫ଟି ସ୍କିମ୍ ଓ ନବୀନ ଓଡିଶା ଓ ମୋ ଓଡିଶା ଭଳି ଯୋଜନା କଲା ପରେ ବି ଦଳ କାହିିଁକି ହାରିଲା, କେଉଁଠି ତୃଟି ରହିଲା, କାହାର ତୃଟି ରହିଲା ଏ ସବୁର କାରଣ ଖୋଜୁଛି ବିଜେଡି । ଶଙ୍ଖଭବନରେ ଜିଲ୍ଲାୱାରୀ ନେତାଙ୍କ ସହ ଘନ ଘନ ବୈଠକ ଡାକି ତର୍ଜମା ଚାଲିଛି । ଦଳ ତରଫରୁ ପରାଜୟର କାରଣ ଖୋଜିବା ପାଇଁ କମିଟି ହୋଇ ନଥିଲେ ମଧ୍ୟ ନେତାମାନେ ସିଧାସଳଖ ନିର୍ବାଚନ ପରିଚାଳନା କରୁଥିବା ନେତାମାନଙ୍କୁ ଦାୟୀ କରିଛନ୍ତି ନେତାମାନେ । ସିଧାସଳଖ ନହେଲେ ବି ଅଣ ଓଡିଆ ଅଫିସର ଓ ତାଙ୍କ ଟିମଙ୍କୁ ଦାୟୀ କରୁଛନ୍ତି ନେତାମାନେ ।
ଗତ ୨୩ ତାରିଖରେ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା ବେଳେ ଦଳର ମୁଖିଆ ନବୀନ ପଟ୍ଟନାୟକ ପରାଜୟର କାରଣ ପଚାରିଥିଲେ । ଆଉ ଜଣେ ନେତା ପରାଜୟର ସମସ୍ତ କାରଣ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଛନ୍ତି । ପ୍ରଥମ କାରଣ ଦଳ ମଧ୍ୟରେ ଥିବା କନ୍ଦଳ, ଦଳର ନେତା ଅନ୍ୟ ନେତାଙ୍କର ଚେର କାଟିବାକୁ ଚେଷ୍ଟା କରିବା ଓ ନେତାଙ୍କ ଭିତରେ ଅନ୍ତର୍ଘାତୀ କାର୍ଯ୍ୟକଳାପ ପାଇଁ ପରାଜୟ ହୋଇଥିବା ସେ କହିଛନ୍ତି । ଦ୍ୱିତୀୟ କାରଣ ହେଲା ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ମେଣ୍ଟ ପ୍ରଚାର ଯୋଗୁ ସଂଖ୍ୟାଲଘୁଙ୍କ ମଧ୍ୟରେ ବିଶ୍ୱାସଭାଜନ ହୋଇ ନପାରିବା ମଧ୍ୟ ଏକ କାରଣ ହୋଇପାରେ। ସେହିପରି ତୃତୀୟ କାରଣ ହେଲା ନିର୍ବାଚନ ବେଳେ ଦୁବର୍ଳ ପରିଚାଳନା । ନିର୍ବାଚନ ଜିତିବାନେଇ ଆଦୌ ସ୍ୱତନ୍ତ୍ର ରଣନୀତି କରାଯାଇ ନଥିଲା । ସେଥିପାଇଁ ଚଳିତ ନିର୍ବାଚନରେ ବିଜେଡି ୫୧ ଆସନ ପାଇଥିବାବେଳେ ବିଜେପି ୭୮, କଂଗ୍ରେସ ୧୪ ଓ ସ୍ୱାଧୀନ ୪ଟି ଆସନରେ ଜିତିଛନ୍ତି।