ମୁମ୍ବାଇ: ମଙ୍ଗଳବାର ଭାରତୀୟ ଷ୍ଟକ୍ ମାର୍କେଟ ସମସ୍ତ ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ସକାଳୁ ପ୍ରାରମ୍ଭିକ ପତନ ପରେ ସେନସେକ୍ସ ଏବଂ ନିଫ୍ଟି ସର୍ବକାଳୀନ ରେକର୍ଡ କରିଛି। ସକାଳ ୯.୧୫ ସମୟରେ, ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୫ହଜାର ପଏଣ୍ଟ ଅତିକ୍ରମ କରିଥିବା ବେଳେ ନିଫ୍ଟି ୨୬ ହଜାର ପଏଣ୍ଟରେ ପହଞ୍ଚିଛି।
ପ୍ରି-ଓପନିଂ ସେସନ୍ରେ ସେନସେକ୍ସ ୬୭.୮୮ ପଏଣ୍ଟରେ ଏବଂ ନିଫ୍ଟି ୧୭.୬୦ ପଏଣ୍ଟରେ ଖୋଲିଥିଲା। ସେନ୍ସେକ୍ସ ୧୨୯.୩୪ ପଏଣ୍ଟ ହ୍ରାସ ପାଇ ୮୪,୭୯୯.୨୭ରେ ପହଞ୍ଚିଥିବା ବେଳେ ନିଫ୍ଟି ୧୬.୩୫ ପଏଣ୍ଟ ହ୍ରାସ ପାଇ ୨୫,୯୨୨.୭୦ରେ ପହଞ୍ଚିଥିଲା । ସ୍ବଳ୍ପ କାରବାରରେ ସେନସେକ୍ସ ୧୫୦ ପଏଣ୍ଟ ହ୍ରାସ ପାଇଥିବା ବେଳେ ଚୀନ୍ ଏବଂ ଅନ୍ୟ ଏସୀୟ ବଜାରରୁ ସକରାତ୍ମକ ସଙ୍କେତ ପାଇବା ପରେ ହଠାତ ବୃଦ୍ଧି ପାଇଥିଲା। ସକାଳ ୯.୫୫ ସମୟରେ, ସେନସେକ୍ସ ପ୍ରାୟ ୯୦ ପଏଣ୍ଟ ହାସଲ କରି ୮୫,୦୧୭ ପଏଣ୍ଟରେ କାରବାର କରିଥିବା ବେଳେ ଏନ୍ଏସ୍ଇର ନିଫ୍ଟି ୫୦ ଇଣ୍ଡେକ୍ସ ତଥା ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ନିକଟରେ ରହିଥିଲା। ଘରୋଇ ବଜାରରେ କାରବାର ଆରମ୍ଭ ହେବା ପୂର୍ବରୁ ବ୍ୟବସାୟରେ ଚାପର ଲକ୍ଷଣ ପରିଲକ୍ଷିତ ହୋଇଥିବା ବେଳେ ଧୀରେ ଧୀରେ ଏହା ବୃଦ୍ଧି ପାଇଥିଲା । ତେବେ ପ୍ରଥମ ଥର ପାଇଁ ୮୫ ହଜାର ଅତିକ୍ରମ କରିଛି ସେନସେକ୍ସ । ଅପରପକ୍ଷରେ ସୋମବାର ସେନସେକ୍ସ ୩୮୪.୩୦ ପଏଣ୍ଟ (୦.୪୫ ପ୍ରତିଶତ) ବୃଦ୍ଧି ସହିତ ୮୪,୯୨୮.୬୧ ପଏଣ୍ଟରେ କାରବାର ବନ୍ଦ କରିଥିଲା।