ଶ୍ରୀନଗର: ବୁଧବାର ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୫ଟି ଜିଲାର ୨୬ ଆସନ ପାଇଁ ମତଦାନ ଚାଲିଥିବା ବେଳେ ଏଥିମଧ୍ୟରୁ କାଶ୍ମୀର ଅଞ୍ଚଳରେ ୧୫ଟି ଓ ଜାମ୍ମୁ ଅଞ୍ଚଳର ୧୧ଟି ଆସନ ଅନ୍ତର୍ଭୁକ୍ତ। ଏହି ଆସନ ପାଇଁ ସମୁଦାୟ ୨୩୯ ପ୍ରାର୍ଥୀ ଥିବା ବେଳେ ବୁଧବାର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨୫ ଲକ୍ଷ ମତଦାତା। ଅବାଧ ଓ ଶୃଙ୍ଖଳିତ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ମତଦାନ ପାଇଁ ମୋଟ ୩,୫୦୨ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ସେଥିରୁ ୧,୦୫୬ଟି କେନ୍ଦ୍ର ସହରାଞ୍ଚଳରେ ଓ ୨,୪୪୬ଟି କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି। ନିର୍ବାଚନ ପରିଚାଳନାରେ ସ୍ବଚ୍ଛତା ପାଇଁ ସବୁ ବୁଥ୍ରେ ଓ୍ବେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇ ୧୫୭ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର କରାଯାଇଛି। ୨୬ଟି ପିଙ୍କ୍ ବୁଥ୍କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍ ପରିଚାଳିତ ହେବ। ସେହିପରି ୩୧ଟି ସୀମାନ୍ତ ପୋଲିଂ ଷ୍ଟେଶନ ଓ ୨୬ଟି ଗ୍ରୀନ୍ ଏବଂ ୨୨ଟି ଅନନ୍ୟ ପୋଲିଂ ଷ୍ଟେଶନ ବ୍ୟବସ୍ଥା ହୋଇଛି।
ଦ୍ଵିତୀୟ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ଜେକେପିସିସି ସଭାପତି ତାରିକ୍ ହମିଦ କାରା, ବିଜେପି ଜମ୍ମୁ-କଶ୍ମୀର ସଭାପତି ରବୀନ୍ଦ୍ର ରାଇନା ଏବଂ ଆପ୍ନି ପାର୍ଟି ମୁଖ୍ୟ ଅଲତାଫ୍ ବୁଖାରୀ । ପ୍ରକାଶଥାଉ କି, ଗତ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଥିବାବେଳେ ୫୯% ମତଦାନ ହୋଇଥିଲା।