ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବୟାନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଏପରିକି ଦଳ ମଧ୍ୟ କଙ୍ଗନାଙ୍କ ମନ୍ତବ୍ୟକୁ ନିନ୍ଦା କରିଛି । କୃଷି ଆଇନକୁ ନେଇ କଙ୍ଗନା ମନ୍ତବ୍ୟ ରଖିଥିଲେ । ତେବେ ତାଙ୍କ କ୍ଷେତ୍ରରେ ଏଭଳି ବିବାଦ ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ନିଜର ମନ୍ତବ୍ୟକୁ ନେଇ କଙ୍ଗନା ଅସୁବିଧାରେ ପଡିଛନ୍ତି । ଏବେ କଙ୍ଗନା କହିଛନ୍ତି, କୃଷକଙ୍କ ଚାପରେ କେନ୍ଦ୍ର ସରକାର ଉଚ୍ଛେଦ କରିଥିବା ତିନିଟି କୃଷି ଆଇନକୁ ପୁନଃ କାର୍ଯ୍ୟକାରୀ କରିବା ଉଚିତ । ଏହା ଉପରେ ବିଜେପି ଅସନ୍ତୋଷ ପ୍ରକାଶ କରିବା ସହିତ ତାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ପରେ କଙ୍ଗନା ନିଜ ସ୍ୱର ବଦଳାଇଛନ୍ତି । ସେ କହିଛନ୍ତି, ଏହି ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ, ଏଥିରେ ଦଳର କିଛି ନାହିଁ । ଏଥିପାଇଁ ସେ କ୍ଷମା ମାଗିଛନ୍ତି । ସୂଚନାଯୋଗ୍ୟ ଯେ ଗତ ନିର୍ବାଚନରେ କଙ୍ଗନା ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।
କୃଷି ଆଇନକୁ ନେଇ କଙ୍ଗନା ଏଭଳି ମନ୍ତବ୍ୟ ରଖିବା ପରେ ବିଜେପି ତାହାଠାରୁ ନିଜକୁ ଦୂରେଇ ନେଇଛି । ଦଳ କହିଛନ୍ତି ଯେ ଦଳ ପକ୍ଷରୁ ଏଭଳି କହିବା ପାଇଁ କଙ୍ଗନା ରାଣାୱତଙ୍କୁ କ୍ଷମତା ଦିଆଯାଇନାହିଁ । ବିଜେପି ମୁଖପାତ୍ର ଗୋ÷ରବ ଭାଟିଆ କହିଛନ୍ତି, ଏହା କଙ୍ଗନାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ ଏବଂ କୃଷି ବିଲ୍ ଉପରେ ଦଳର ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ । ଏହି ଘଟଣା ପରେ କଙ୍ଗନା ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହିତ କହିଛନ୍ତି ଯେ ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ଜଣେ ରାଜନୈତିକ ନେତା ମଧ୍ୟ । ଏକଥା ତାଙ୍କୁ ମନେରଖିବାକୁ ହେବ ଏବଂ ସେ ଯାହା କହିଛନ୍ତି ତାହା ଅନେକଙ୍କ ମନରେ ଦୁଃଖ ପହଞ୍ଚାଇଥିବାରୁ ସେ କ୍ଷମା ମାଗୁଛନ୍ତି ।