ଓଡିଶାରେ ହେବ କି ରାଜନୈତିକ ହଲଚଲ । ହେବ କି ଦଳ ଡିଆଁ ପର୍ବ । ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମନ୍ତବ୍ୟ ପରେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବିସ୍ଫୋରଣ ହେବାକୁ ଯାଇଛି । ବହୁ ବଡବଡ ନେତା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ଖାଲି ରାଜ୍ୟସଭା ସାଂସଦ ନୁହଁନ୍ତି ପଦ ପଦବୀରେ ବହୁ ନେତା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ବହୁ ବିଧାୟକ ଓ ପୂର୍ବତନ ବିଧାୟକ ମାନେ ବିଜେପି ସହିତ ଯୋଗାଯୋଗରେ ଥିବା ସୁକାନ୍ତ କହିଛନ୍ତି । ଖାଲି ଯୋଗାଯୋଗରେ ନାହାଁନ୍ତି ଆସନ୍ତା ମାସେ ଦେଢ ମାସ ଭିତରେ ବିଜେପିରେ ସାମିଲ ହେବେ । ସୁକାନ୍ତଙ୍କ ଏଭଳି ମନ୍ତବ୍ୟ ପରେ ରାଜ୍ୟରେ ଦେଖା ଦେଇଛି ରାଜନୈତିକ ଉଷ୍ଣତା । ଏହାର ଜବାବରେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ବିଜେପିର ବହୁ ନେତା ମଧ୍ୟ ବିଜେଡି ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ବଡ ହଲଚଲ ହେବାକୁ ଯାଉଛି। ଏକଥାକୁ ଏଡାଇ ଦିଆଯାଇ ନ ପାରେ କାରଣ କିଛିଦିନ ପୂର୍ବ ବିଜେଡିର ୨ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ମମତା ମହନ୍ତ ବିଜେପିରୁ ପୁଣି ରାଜ୍ୟସଭା ଯାଇଛନ୍ତି । ସେପଟେ ସୁଜିତ କୁମାରଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପଠାଇପାରେ ବୋଲିି ଆଲୋଚନା ହେଉଛି । ଅପରପକ୍ଷେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କଥାରେ ସତ୍ୟତା ଥିବା ଜଣାପଡୁଛି । କାହିଁକି ନା ୨ ଦିନ ତଳେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଜିଲ୍ଲାୱାରୀ ସମୀକ୍ଷା ବେଳେ ପ୍ରଦୀପ ମାଝୀ କ୍ଷୋଭ ପ୍ରକାଶ କରି ଦଳର ଭିତରେ ଥିବା କନ୍ଦଳକୁ ସାମ୍ନାକୁ ଆଣିଥିଲେ । କାଲି ସେତିକି ନୁହେଁ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଜେଡି କଳି ଏହି ଆଲୋଚନାକୁ ଆହୁରି ସରଗରମ କରୁଛି । ଏ ସମସ୍ତ ଘଟଣାକୁ ଯଦି ନଜର ପକାଇବା ତାହେଲେ ଆଗକୁ ବଡ ରାଜନୈତିକ ହଲଚଲ ନିଶ୍ଚୟ ଦେଖାଦେବ ।