ବାଲିଗୁଡା: ବୁଧବାରଠାରୁ ରାଜ୍ୟବ୍ୟାପୀ ପୁଣିଥରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ଓଡ଼ିଶା ନର୍ସିଂ ଅଧିକାରୀ ସଂଘ। ୨ ଦିନ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସବୁ ସେବା ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ସଂଘ । ଯଦି ସରକାର ଦାବି ପୂରଣ ନକରନ୍ତି ତେହେଲେ ଆସନ୍ତା ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
ତେବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି କାର୍ଯ୍ୟରତ ନର୍ସିଂ ଅଫିସର ଓ ସମସ୍ତ ନର୍ସିଂ କର୍ମଚାରୀଙ୍କ ସାମୁହିକ ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ l କେବଳ ଜରୁରୀ କାଳୀନ ସେବା ଛାଡିଲେ ଅନ୍ୟ ସମସ୍ତ ସେବା କାର୍ଯ୍ୟ ବନ୍ଦ କରିଛନ୍ତି ଆନ୍ଦୋଳନ କୁ ଓଲ୍ହାଇଥିବା ସମସ୍ତ ନର୍ସିଂ କର୍ମଚାରୀ l କେବିକେ ଏଲ୍ଲାଉନ୍ସ ପ୍ରଦାନ କରିବା,ନର୍ସିଂ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରିବା,ଆର.ବି.ଏସ.କେ ଅଧୀନ ରେ ଥିବା ନର୍ସିଂ ଅଫିସର ଙ୍କୁ ନିୟମିତ କରିବା ଭଳି ୧୦ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ ରଖିଛନ୍ତି l
ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରାୟ ୧୫୦୦୦ ନର୍ସିଂ ଅଧିକାରୀ ଥିବା ବେଳେ ସେବା କ୍ଷେତ୍ରରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ୧୦ ଦଫା ଦାବି ନେଇ ନର୍ସିଂ ଅଧିକାରୀ ସଂଘ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା କିନ୍ତୁ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ କରାଯାଉନାହିଁ। ସେଥିପାଇଁ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରାଯାଉଛି ।