ଶ୍ରୀନଗର: ବୁଧବାର ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୫ଟା ସୁଦ୍ଧା ୫୪% ମତଦାନ ଗ୍ରହଣ ହୋଇଛି। ବୁଧବାର ସକାଳ ୭ରୁ ମତଦାନ ଆରମ୍ଭ ହୋଇଥିଲା। ଚଳିତ ପର୍ଯ୍ୟାୟରେ ଆମେରିକା, ନରୱେ, ସିଙ୍ଗାପୁର ସମେତ ୧୬ ଦେଶର ବରିଷ୍ଠ କୂଟନୀତିଜ୍ଞମାନେ କଶ୍ମୀର ଗସ୍ତ କରି ବଡ଼ଗାମ ଜିଲ୍ଲାର ଓମପୋରାଠାରେ ଏକ ମତଦାନ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ଉପସ୍ଥିତ ଅଧିକାରୀମାନେ ସେମାନଙ୍କୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ବିଷୟରେ ସୂଚନା ଦେଇଥିଲେ।
ପ୍ରକାଶଥାଉ କି, ୫ଟି ଜିଲାର ୨୬ ଆସନ ପାଇଁ ମତଦାନ ହୋଇଥିବା ବେଳେ ଏଥିମଧ୍ୟରୁ କାଶ୍ମୀର ଅଞ୍ଚଳରେ ୧୫ଟି ଓ ଜାମ୍ମୁ ଅଞ୍ଚଳର ୧୧ଟି ଆସନ ଅନ୍ତର୍ଭୁକ୍ତ। ୨୬ଟି ଆସନ ପାଇଁ ସମୁଦାୟ ୨୩୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ଅବାଧ ଓ ଶୃଙ୍ଖଳିତ ମତଦାନ ପାଇଁ ମୋଟ ୩,୫୦୨ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ସେଥିରୁ ୧,୦୫୬ଟି କେନ୍ଦ୍ର ସହରାଞ୍ଚଳରେ ଓ ୨,୪୪୬ଟି କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି। ନିର୍ବାଚନ ପରିଚାଳନାରେ ସ୍ବଚ୍ଛତା ପାଇଁ ସବୁ ବୁଥ୍ରେ ଓ୍ବେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇ ୧୫୭ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର କରାଯାଇଥିଲା। ୨୬ଟି ପିଙ୍କ୍ ବୁଥ୍କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍ ପରିଚାଳିତ ହେବ। ସେହିପରି ୩୧ଟି ସୀମାନ୍ତ ପୋଲିଂ ଷ୍ଟେଶନ ଓ ୨୬ଟି ଗ୍ରୀନ୍ ଏବଂ ୨୨ଟି ଅନନ୍ୟ ପୋଲିଂ ଷ୍ଟେଶନ ବ୍ୟବସ୍ଥା ହୋଇଥିଲା। ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ଜେକେପିସିସି ସଭାପତି ତାରିକ୍ ହମିଦ କାରା, ବିଜେପି ଜମ୍ମୁ-କଶ୍ମୀର ସଭାପତି ରବୀନ୍ଦ୍ର ରାଇନା ଏବଂ ଆପ୍ନି ପାର୍ଟି ମୁଖ୍ୟ ଅଲତାଫ୍ ବୁଖାରୀ ।