ବେଜିଂ: ବୁଧବାର ଦୀର୍ଘ ଏକ ଦଶନ୍ଧି ପରେ ଚୀନ ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ୍) ପରୀକ୍ଷା କରିଛି। ତେବେ ଏହି ଆଇସିବିଏମ୍ ପରୀକ୍ଷଣ ସଫଳ ହୋଇଥିବା ଚୀନ ପକ୍ଷରୁ ଘୋଷଣା ହୋଇଛି। ପୂର୍ବରୁ ଚୀନ ଏପରି କ୍ଷେପଣାସ୍ତ୍ରକୁ ଅନେକ ଥର ଗୋପନୀୟ ଭାବେ ପରୀକ୍ଷଣ କରିଥିବାବେଳେ ପ୍ରଥମ କରି ଏହାକୁ ସ୍ବୀକାର କରିଛି।
ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁସାରେ, ବୁଧବାର ୮.୪୪ରେ ପିପୁଲ୍ସ ଲିବରେସନ ଆର୍ମି ରକେଟ୍ ଫୋର୍ସ ପକ୍ଷରୁ ଏହି ଆଇସିବିଏମ୍ ପରୀକ୍ଷଣ ହୋଇଥିଲା। ପ୍ରଶାନ୍ତ ମହାସାଗରରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବାବେଳେ ଏଥିରେ କୌଣସି ଯୁଦ୍ଧାସ୍ତ୍ର ବ୍ୟବହାର ହୋଇ ନଥିଲା। ତେବେ ଏନେଇ ଚୀନ କହିଛି ଯେ, ଏହି କ୍ଷେପଣାସ୍ତ୍ର ପରୀକ୍ଷା ବାର୍ଷିକ ନିୟମିତ ପରୀକ୍ଷା ଅଭ୍ୟାସ ହୋଇଥିବା ବେଳେ ଏହା କୌଣସି ଦେଶକୁ ଟାର୍ଗେଟ କରିବା ଲାଗି ନିର୍ମିତ ହୋଇନାହିଁ। ପିଏଲଏଆରଏଫ କ୍ଷେପଣାସ୍ତ୍ର ପରିଚାଳନା ଓ ଆଧୁନିକୀକରଣ ଦାୟିତ୍ବ ନେଇଥାଏ।
ସୂଚନାଯୋଗ୍ୟ ଯେ, ଚୀନର ଆଇସିବିଏମ୍ ପରୀକ୍ଷଣରେ ନ୍ୟୁଜିଲାଣ୍ଡ ଓ ଜାପାନ ଉଦ୍ବେଗ ପ୍ରକାଶ କରିଛନ୍ତି। ଏନେଇ ନ୍ୟୁଜିଲାଣ୍ଡ ସରକାର କହିଛନ୍ତି ଯେ, ‘ଚୀନର ଏହି କ୍ଷେପଣାସ୍ତ୍ର ପରୀକ୍ଷା ଉଦ୍ବେଗର ବିଷୟ। ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ସମୂହ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଓ ସୁରକ୍ଷିତ ଅଞ୍ଚଳ ଆଶା କରୁଥିବାବେଳେ ଚୀନ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି।’ ସେହିପରି ଜାପାନ ସରକାରଙ୍କ ମୁଖପାତ୍ର ୟୋସିହାମା ହାୟାସି କହିଛନ୍ତି ଯେ, ‘ଚୀନ ଏହାର ଆଇସିବିଏମ୍ ପରୀକ୍ଷା ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲା। ପ୍ରଶାନ୍ତ ମହାସାଗର ମଧ୍ୟରେ ଏପରି କ୍ଷେପଣାସ୍ତ୍ର ପରୀକ୍ଷା କରି ଏହି ଅଞ୍ଚଳକୁ ଚୀନ ଅସୁରକ୍ଷିତ କରିବାକୁ ଉଦ୍ୟମ କରୁଛି।’