ଲକ୍ଷ୍ମୀପୁର : ଦିଲ୍ଲୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମ୍ୟାଜିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି କୋରାପୁଟର ଜଣେ ଆଦିବାସୀ ଯୁବକ। ପେଶାରେ ଜଣେ ଶିକ୍ଷକ ହୋଇ ମଧ୍ୟ ଯାଦୁରେ ତାଙ୍କର ରୁଚି ଥିବାରୁ ସେ ତାଙ୍କ ପ୍ରତିଭା ବଳରେ ମହୋତ୍ସବର କେନ୍ଦ୍ରବିନ୍ଦୁ ସାଜିଥିଲେ।
ସୂଚନାଯୋଗ୍ୟ ଯେ, କୋରାପୁଟସ୍ଥିତ ବନ୍ଧୁଗାଁ ବ୍ଲକ୍ ର ପ୍ରହ୍ଲାଦ ହାରକା ପେଶାରେ ଜଣେ ଶିକ୍ଷକ। ବିଦ୍ୟାଳୟ ମାନଙ୍କରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ କୁନି କୁନି ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ଯାଦୁ ଦେଖାଇଥାନ୍ତି। ତେବେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତିୟ ମେଜିକ ମହୋତ୍ସବରେ ଭାଗନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ମହୋତ୍ସବରେ ଅଷ୍ଟ୍ରେଲିଆ , ଆମେରିକା , ଇଂଲଣ୍ଡ , ଜାପାନ ଭଳି ଅନେକ ଦେଶର ଯାଦୁଗର ଭାଗ ନେଇଥିଲେ। କିନ୍ତୁ ପ୍ରହ୍ଲାଦ ୱାଟର ଅଫ୍ ଇଣ୍ଡିଆ ଉପରେ ଯାଦୁ ଦେଖାଇ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା ସହିତ ବିଶିଷ୍ଟ ଯାଦୁକରଙ୍କ ଠାରୁ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ। ଏନେଇ ତାଙ୍କ ନିକଟକୁ ସବୁଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି ।