ନ୍ୟୁୟର୍କ: ନଭେମ୍ବର ୯ ଓ ୧୦ ତାରିଖରେ ନ୍ୟୁୟର୍କରେ ଆୟୋଜିତ ହେବାକୁ ଯାଉଛି ଇଣ୍ଡୋ-ଆମେରିକାନ୍ ଆର୍ଟସ୍ କାଉନସିଲ୍ (ଆଇଏଏସି) ୨୦୨୪ର ସାହିତ୍ୟ ମହୋତ୍ସବ। ଚଳିତ ବର୍ଷ ଏହି ମହୋତ୍ସବରେ ଭାଗ ନେବ ଓଡ଼ିଆ ସିନେମା ପୁସ୍ତକ ‘ଅଫ୍ ରିଲ୍ସ, ରୋମାନ୍ସ ଏଣ୍ଡ୍ ରିଟେକ୍ସ୍ – ସୋସିଆଲ୍ ନେରେଟିଭ୍ସ୍ ଅଫ୍ ସିନେମା ଇନ୍ ଓଡ଼ିଶା’। ଏହି ମହୋତ୍ସବରେ ଲେଖକ ତଥା ଭାଷ୍ୟକାର ସଂଜୟ ପଟ୍ଟନାୟକଙ୍କ ଏହି ପୁସ୍ତକ ଅନ୍ୟତମ ଆକର୍ଷଣ ହେବାପାଇଁ ଯାଉଛି। ଏନେଇ ଇଣ୍ଡୋ-ଆମେରିକାନ୍ ଆର୍ଟସ୍ କାଉନସିଲ୍ (ଆଇଏଏସି)ର ସାହିତ୍ୟ ମହୋତ୍ସବ ନିର୍ଦେଶିକା ପ୍ରୀତି ଉର୍ସ ଆଶା ବ୍ୟକ୍ତ କରିଛନ୍ତି ଯେ ଏହି ପୁସ୍ତକ ଏବଂ ଓଡ଼ିଆ ସିନେମା ଉପରେ ଆଲୋଚନା ଏହି କାର୍ଯ୍ୟକ୍ରମକୁ ସମୃଦ୍ଧ କରିବ ଏବଂ ଦର୍ଶକମାନଙ୍କୁ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟ ଓ ଚିନ୍ତାଧାରା ସହିତ ସିଧାସଳଖ ଜଡ଼ିତ ହେବାର ସୁଯୋଗ ପ୍ରଦାନ କରିବ।
ନ୍ୟୁୟର୍କସ୍ଥିତ ଆଇଏଏସି ଏସୀୟ ଭାରତୀୟ କଳା ଏବଂ କଳାକାରଙ୍କୁ ପ୍ରୋତ୍ସାହନ କରିବା ଏବଂ ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କାର୍ଯ୍ୟ କରିଥାଏ। ଏହି ମହୋତ୍ସବ ସାହିତ୍ୟ ଓ ଲୋକକଳା ସମେତ ପରଫର୍ମିଂ ଆର୍ଟ ଉପରେ ଏହି ପରିଷଦ ଫୋକସ୍ କରୁଥିବା ବେଳେ ଏହା ଭାରତୀୟ – ଆମେରିକୀୟ କଳା ଏବଂ ସଂସ୍କୃତି ଉପରେ ଏକ ଅଗ୍ରଣୀ କାର୍ଯ୍ୟକ୍ରମ ଅଟେ । ଏହି ପୁସ୍ତକର ଅନନ୍ୟ ଦୃଷ୍ଟିକୋଣ ଏହି କାର୍ଯ୍ୟକ୍ରମକୁ ଅଧିକ ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ଏହି ସାହିତ୍ୟ ମହୋତ୍ସବରେ ଦଲାଇ ଲାମା, ନୋବେଲ ପୁରସ୍କାର ବିଜେତା ପ୍ରଫେସର ଅମର୍ତ୍ୟ ସେନ, ଇନ୍ଦିରା ନୁୟୀ, ମଧୁର ଜାଫରୀ, ନୋବେଲ ଶାନ୍ତି ପୁରସ୍କାର ବିଜେତା ଡ. କୈଳାସ ସତ୍ୟାର୍ଥୀ, ସାଂସଦ ଡ. ଶଶି ଥରୁର, ଚନ୍ଦ୍ରିକା ଟଣ୍ଡନ ଏବଂ ରାମଚନ୍ଦ୍ର ଗୁହାଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି ।
ପ୍ରକାଶଥାଉ କି, ‘ଅଫ୍ ରିଲ୍ସ, ରୋମାନ୍ସ ଏଣ୍ଡ୍ ରିଟେକ୍ସ୍ – ସୋସିଆଲ୍ ନେରେଟିଭ୍ସ୍ ଅଫ୍ ସିନେମା ଇନ୍ ଓଡ଼ିଶା’ ପୁସ୍ତକ ୧୯୩୬ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ସିନେମାର ଆକର୍ଷଣୀୟ ଯାତ୍ରା ଉପରେ ଆଧାରିତ । ସଂଜୟ ପଟ୍ଟନାୟକ ଦୀର୍ଘ ଦଶନ୍ଧି ଧରି ଓଡ଼ିଶାର ପ୍ରଗତିକୁ ଖୁବ ନିକଟରୁ ଦେଖିଥିବା ବେଳେ ଏହି ପୁସ୍ତକରେ ସେ ଓଡ଼ିଆ ସମାଜ ଉପରେ ସିନେମାର ସାମାଜିକ ପ୍ରଭାବକୁ ଅନୁଶୀଳନ କରିଛନ୍ତି । ସ୍ଥାନୀୟ ଲୋକ ଓ ସାହିତ୍ୟ ପରମ୍ପରା ସହିତ ଜଡ଼ିତ ଓଡ଼ିଆ ସିନେମା କିପରି ଆଧୁନିକତା ଓ ଓଡ଼ିଆ ସାଂସ୍କୃତିକ ପରିଚୟର ପ୍ରକଳ୍ପକୁ ଆଗକୁ ବଢ଼ାଇଛି, ତାହା ବିଶେଷ ଭାବରେ ଆଲୋଚନା କରାଯାଇଛି । ଏଥି ସହିତ, ଓଡିଆ ସିନେମାର ସମ୍ମୁଖୀନ ହେଉଥିବା ସଙ୍କଟ ଉପରେ ଏହି ପୁସ୍ତକରେ ଏକ ଅନ୍ତର୍ନିହିତ ଦୃଷ୍ଟି ପ୍ରଦାନ କରାଯାଇଛି । ଏହା ଏକ ସମାୟୋପଯୋଗୀ ଏବଂ ବହୁ ପ୍ରତୀକ୍ଷିତ ପୁସ୍ତକ ଯାହା ଦ୍ବାରା ଓଡ଼ିଶାରେ ସିନେମାର ଏପର୍ଯ୍ୟନ୍ତ ‘ସାମାଜିକ କାହାଣୀ’ ନିର୍ମାଣ କରିବାକୁ ଚେଷ୍ଟା କରାଯାଇଛି ।