ଲକ୍ଷ୍ମୀପୁର: ବୁଧବାର କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ କୁଟ୍ରାବେଡା ପଞ୍ଚାୟତ ଅନ୍ତର୍ଗତ ମହାଗୁଡା ଗ୍ରାମର ଜଣେ ମହିଳାଙ୍କର ସାପ କାମୁଡା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଲେ ମହାଗୁଡା ଗ୍ରାମର ୪୨ ବର୍ଷୀୟା ମାୟାବତୀ ବିଡ଼ିକା।
ସୂଚନା ଅନୁସାରେ, ମାୟାବତୀ ଗତ ଶନିବାର ଦିନ ଶାଗ ତୋଳିବାକୁ ନିଜ ଘର ପାଖରେ ଥିବା ଏକ ନାଳ ନିକଟକୁ ଯାଇଥିଲେ। ସେହି ସମୟରେ ଏକ ବିଷଧର ସାପ ତାଙ୍କ ବାମ ଗୋଡ଼କୁ ଚୋଟ ମାରିଥିଲା। ଏହାପରେ ମାୟାବତୀ ନିଜ ଘରକୁ ଫେରିବାର କିଛି ସମୟ ପରେ ଅଚେତ ହୋଇ ତଳେ ପଡି ଯାଇଥିଲେ। ଏହା ଦେଖି ତାଙ୍କ ସ୍ଵାମୀ ଆନିଗା ବିଡ଼ିକା ସାହି ପଡିଶାଙ୍କୁ ଡାକି ସଙ୍ଗେ ସଙ୍ଗେ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ I ସେଠାରେ ଚିକିତ୍ସା କରୁଥିବା ଡ଼ାକ୍ତର ମାୟାବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ପରିବାର ଲୋକେ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଦୂର ହେଉଥିବାରୁ ପାଖରେ ଥିବା ରାୟଗଡା ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସେଠାରେ ମଧ୍ୟ ମାୟାବତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରବିବାର ଦିନ କୋରାପୁଟ ଜିଲ୍ଲା ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମାୟାବତୀଙ୍କ ମୃତ୍ୟୁ ହୋଇଇଥିଲା। ପରେ ମୃତ୍ୟୁ ହୋଇଥିବାକୁ ନେଇ ମାୟାବତୀଙ୍କ ଝିଅ ସୁମିତ୍ରା ଖୋସଲା ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବନ୍ଧୁଗାଁ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।