ଲକ୍ଷ୍ମୀପୁର: ଆଜିକାଲିର ଟେକ୍ନିକାଲ ଯୁଗରେ ମଧ୍ୟ କିଛି ଅଂଚଳ ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି। ଏହାର ନିଚ୍ଛକ ଉଦାହରଣ ହେଉଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଅଧିକାଂଶ ଗ୍ରାମ। ଏହି ଗ୍ରାମସବୁ ପାହାଡ଼ ଓ ଜଙ୍ଗଲ ନିକଟରେ ଥିବାରୁ ସେଠାରେ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ପହଞ୍ଚି ପାରିନଥିବା ଦେଖିବାକୁ ମିଳିଛି। ଏହା ନିଶ୍ଚିତରୂପେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି। ଏହା ସହ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି । ପୂର୍ବ ସରକାର ସମୟରେ ଦୀର୍ଘ ଦିନରୁ ଗ୍ରାମବାସୀ ଏକ ମୋବାଇଲ ଟାୱାର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନଥିଲା।
କିନ୍ତୁ ନୂତନ ସରକାରଙ୍କ ଅମଳରେ ଏହି ଅସୁବିଧା ଦୂର ହେବା ପାଇଁ ପ୍ରୟାସ ହୋଇଥିବା ସୂଚନା ମିଳିଛି । ବୁଧବାର ବନ୍ଧୁଗାଁ ସଦର ପଞ୍ଚାୟତର ରାଜସ୍ବ ଅଧିକାରୀ ଗୋପୀନାଥ ମାଝୀ, ସରପଞ୍ଚ ଲଷ୍ମୀ କାଡ୍ରାକା ବିଏସଏନଏଲ ଅଧିକାରୀଙ୍କ ସହ ଝୁମୁକା ଗ୍ରାମକୁ ଯାଇ ମୋବାଇଲ ଟାୱାର ପାଇଁ ସ୍ଥାନ ଚୟନ କରିଛନ୍ତି। ଏହା ସହ ପାଖରେ ଥିବା କୁମୁଟି ଝରଣା ଗ୍ରାମରେ ମଧ୍ୟ ଏକ ଟାୱାର ବସିଲେ ଆଖପାଖ ଅଞ୍ଚଳର ଲୋକେ ମୋବାଇଲ ସେବା ପାଇ ପାରିବେ ବୋଲି କହିଛନ୍ତି।
ତେବେ ଏହି ସ୍ଥାନ ଚୟନ ସମୟରେ କୁମୁଟି ଝରଣା ଗ୍ରାମକୁ ରାସ୍ତା ନଥିବାରୁ ଟାୱାର ନିର୍ମାଣରେ ବିଳମ୍ୱ ହୋଇ ପାରେ ବୋଲି କହିଛନ୍ତି। ତେବେ ଆଗାମୀ ଦିନରେ ଗ୍ରାମବାସୀମାନେ ବିଏସ୍ଏନାଲ ର ମୋବାଇଲ୍ ସେବା ପାଉଛନ୍ତି ନ ପୂର୍ବ ସରକାର ଭଳି ଏଥର ବି ବିନା ମୋବାଇଲରେ ଦିନ କାଟିବାକୁ ପଡୁଛି ଦେଖିବାକୁ ବାକି ରହିଲା।