ଗୁରୁବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ମଙ୍କିପକ୍ସ ରୋଗ ବିଷୟରେ ସଚେତନ କରିବା ପାଇଁ ଆଡ଼ଭାଇଜରି ଜାରି ହୋଇଛି। ମଙ୍କିପକ୍ସକୁ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦିଆଯାଇଛି।
ମଙ୍କିପକ୍ସକୁ ନେଇ ଏକ ସର୍ଭିଲାନ୍ସ ଷ୍ଟ୍ରାଟେଜି ପ୍ରସ୍ତୁତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ଅନୁରୋଧ କରିଛି। ଏହା ସହିତ ପରୀକ୍ଷା ପାଇଁ କାର୍ଯ୍ୟକ୍ଷମ ଥିବା ପରୀକ୍ଷାଗାରଗୁଡ଼ିକର ତାଲିକା ମଧ୍ୟ ପ୍ରଦାନ କରିଛି। ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ସମୀକ୍ଷା କରାଯିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ଆକଳନ କରିବାକୁ ଆଡ଼ଭାଇଜରି ଜାରି ହୋଇଛି। ଏହି ଆଡ଼ଭାଇଜରି ଅନୁସାରେ ଉଭୟ ସନ୍ଦିଗ୍ଧ ଏବଂ ନିଶ୍ଚିତ ମାମଲାର ପରିଚାଳନା ପାଇଁ ଡାକ୍ତରଖାନାଗୁଡ଼ିକରେ ସଙ୍ଗରୋଧ ସୁବିଧା ଚିହ୍ନଟ କରିବା, କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଲଜିଷ୍ଟିକ୍ ଏବଂ ତାଲିମପ୍ରାପ୍ତ ମାନବ ସମ୍ବଳର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଏକ ଅଭିବୃଦ୍ଧି ଯୋଜନା ବିକଶିତ କରିବା ଆଦି ଦିଗରେ ଧ୍ୟାନ ଦେବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।