ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩ଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ଲଞ୍ଚ କରିଛନ୍ତି। ଏହା ପୁଣେ, ଦିଲ୍ଲୀ ଓ କୋଲକାତାରେ କାର୍ଯ୍ୟକ୍ଷମ ହେବାପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହାର ନିର୍ମାଣ ପାଇଁ ପ୍ରାୟ ୧୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ୩ଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ମୋଦି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସୁପର କମ୍ପ୍ୟୁଟର ଭାରତର ରାଷ୍ଟ୍ରୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧିନରେ ବିକଶିତ ହୋଇଛି ।
ଉଦ୍ଘାଟନୀ ଅବସରରେ ମୋଦି କହିଥିଲେ ଯେ, ‘ଦେଶ ସେତେବେଳେ ବଡ଼ ଉପଲବ୍ଧି ହାସଲ କରିବ ଯେତେବେଳେ ଏହାର ଦୃଷ୍ଟିକୋଣ ବୃଦ୍ଧି ହେବ। ପ୍ରଯୁକ୍ତିବିଦ୍ୟାର ଅପଗ୍ରେଡେସନ ଗରିବଙ୍କୁ ସଶକ୍ତ କରିବା ଦିଗରେ ହେବା ଉଚିତ । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି। ଭାରତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଆଉ ଏକ ବଡ଼ ସଫଳତା ହାସଲ କରିଛି। ଗବେଷଣା ଓ ବିକାଶକୁ ପ୍ରାଥମିକତା ଦେଇ ଦେଶ କିଭଳି ପ୍ରଗତି ହାସଲ କରୁଛି ଏହା ତାହାର ପ୍ରତିଫଳନ। ଆଜିର ଭାରତ ସମ୍ଭାବନାର ଅସୀମ ଦିଗନ୍ତରେ ନୂତନ ସୁଯୋଗ ସୃଷ୍ଟି କରୁଛି।’
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ବୈଜ୍ଞାନିକମାନଙ୍କ ଦ୍ୱାରା ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟର ବିକାଶ ଏବଂ ଦିଲ୍ଲୀ, ପୁଣେ ଏବଂ କୋଲକାତାରେ ଏହାର ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରିବା ସହ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ-ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀ ‘ଅର୍କ’ ଏବଂ ‘ଅରୁଣିକା’ର ଉଦଘାଟନ ବିଷୟରେ ମଧ୍ୟ କହିଥିଲେ। ଏଥିପାଇଁ ସମଗ୍ର ବୈଜ୍ଞାନିକ ସମୁଦାୟ, ଇଞ୍ଜିନିୟର ଏବଂ ସମସ୍ତ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।