ଭୁବନେଶ୍ୱର: ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀର ପ୍ରତିନିଧିମାନେ ସାକ୍ଷାତ ଓ ଆଲୋଚନା କରିଛନ୍ତି। ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏବଂ ଜଳସମ୍ପଦ ଓ ଶକ୍ତି ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।
ଏହି ବୈଠକରେ କୃଷକମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଳସେଚନର ସୁବିଧା ନେଇ ଆଲୋଚନା ହୋଇଥିଲା। କୃଷି କ୍ଷେତ୍ରରେ ଜଳସେଚନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟର କୃଷକମାନଙ୍କୁ ସୌରଚାଳିତ ପମ୍ପ ଦ୍ୱାରା ଜଳସେଚନ ସୁବିଧା ଯୋଗାଇବା ନେଇ ରୟାଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏବଂ ଜଳସେଚନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କମ୍ପାନୀ ଯୋଗାଇ ଦେଉଥିବା ବିଭିନ୍ନ ବୈଷୟିକ ସେବା ବିଷୟରେ ଅବଗତ ହୋଇଥିଲେ ।
ସ୍ଥାନାନ୍ତରଯୋଗ୍ୟ ସୌରଚାଳିତ ପମ୍ପ ସାଧାରଣ ଚାଷୀଙ୍କ ବ୍ୟବହାର ନିମନ୍ତେ ଉପଯୋଗୀ ହେବା ସହ ଏହା ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବ ବୋଲି ପ୍ରତିନିଧିମାନେ ପ୍ରକାଶ କରିଥିଲେ। କୂଅ, ପୋଖରୀ କିମ୍ବା ଅନ୍ୟକୌଣସି ଜଳଉତ୍ସକୁ ବ୍ୟବହାର କରିବାରେ ଏହି ସୌରଚାଳିତ ପମ୍ପ ଉପଯୋଗୀ ହେବା ସହ ସେବା ପ୍ରଦାନ କରିବାକୁ କମ୍ପାନୀ ଆଗ୍ରହୀ ବୋଲି ପ୍ରତିନିଧିମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ । ପ୍ରକାଶଥାଉ କି, ରୟାଲ ଇଣ୍ଡିଆ କମ୍ପାନୀ ଝାଡ଼ଖଣ୍ଡ ଏବଂ ଅନ୍ୟ ରାଜ୍ୟମାନଙ୍କରେ ସୌରଚାଳିତ ପମ୍ପ ସାହାଯ୍ୟରେ ଜଳସେଚନ ସୁବିଧା ଯୋଗାଇ ଦେଇଥାଏ ।