ପୃଥିବୀର ଜଳବାୟୁକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଡ୍ରାଇଭର ଆଟଲାଣ୍ଟିକ୍ ମେରିଡେନାଲ୍ ଓଭରଟର୍ନିଂ ସର୍କୁଲେସନ୍ (ଏଏମଓସି)କୁ ବଜାୟ ରଖିବାରେ ଆଟଲାଣ୍ଟିକ୍ ଏବଂ ଆର୍କଟିକ୍ ଜଳର ମିଶ୍ରଣ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଏକ ନୂତନ ଗବେଷଣାରୁ ଜଣାପଡିଛି। ଏହି ଗବେଷଣା ଆଇଆଇଟି ଭୁବନେଶ୍ୱରଙ୍କ ସମେତ ସାଉଥଆମ୍ପଟନ୍ ୟୁନିଭରସିଟି (ୟୁକେ), ନ୍ୟାସନାଲ ଓସେନୋଗ୍ରାଫି ସେଣ୍ଟର (ୟୁକେ) ଏବଂ ଷ୍ଟକହୋମ ୟୁନିଭରସିଟି (ସ୍ୱିଡେନ)ର ଏକ ଆନ୍ତର୍ଜାତୀୟ ଦଳ ଦ୍ୱାରା କରାଯାଇ ଏଏମଓସି ବଜାୟ ରହିବା ପଛରେ ଥିବା କୌଶଳର ଅନୁସନ୍ଧାନ କରାଯାଇଛି।
ଏଏମଓସି ଏକ ବିଶାଳ ମହାସାଗର କନଭେୟର ବେଲ୍ଟ ପରି କାର୍ଯ୍ୟ କରିଥାଏ । ଏହା ଉତ୍ତାପଯୁକ୍ତ ଜଳକୁ ଉତ୍ତର ଦିଗକୁ ଏବଂ ଶୀତଳ ଜଳକୁ ଦକ୍ଷିଣକୁ ପରିବହନ କରି ବିଶ୍ୱରେ ଉତ୍ତାପ ବିତରଣ ସଠିକ ଭାବେ କରିବାରେ ସହାୟକ ହୋଇଥାଏ । ଏହାର ଅକ୍ଷାଂଶ ପାଇଁ ବ୍ରିଟେନ ସମେତ ଉତ୍ତର ୟୁରୋପକୁ ଅପେକ୍ଷାକୃତ ଥଣ୍ଡା ରଖିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିକଟରେ ‘ନେଚର୍ କମ୍ୟୁନିକେସନ୍ସ’ରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଏଏମଓସି ର ନିମ୍ନ ଅଂଶ ୭୨% ଆଟଲାଣ୍ଟିକ୍ ଜଳ ଏବଂ ୨୮% ଆର୍କଟିକ୍ ଜଳକୁ ନେଇ ଗଠିତ ।
ଆଇଆଇଟି ଭୁବନେଶ୍ୱରର ମୁଖ୍ୟ ଗବେଷକ ଡକ୍ଟର ଦୀପଞ୍ଜନ ଦେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ, “ଉଷ୍ମ ଜଳ ଉତ୍ତର ଆଟଲାଣ୍ଟିକର ଶୀତଳ ଅଞ୍ଚଳରେ ପହଞ୍ଚିବା ପରେ ଏହା ଉତ୍ତାପ ହରାଇ ଦକ୍ଷିଣ ଦିଗକୁ ପ୍ରବାହିତ ହେବା ପୂର୍ବରୁ ଶୀତଳ ଆର୍କଟିକ୍ ଜଳ ସହିତ ମିଶି ଏଏମଓସିର ଶକ୍ତି ବଢ଼ାଇଥାଏ।” ଗବେଷଣା ସମୟରେ ପୃଥିବୀର ଉତ୍ତାପ ବୃଦ୍ଧି ହେବା ସହିତ ଏଏମଓସି ଦୁର୍ବଳ ହୋଇ ବିଶ୍ୱର ଜଳବାୟୁ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟାଇବା ନେଇ ସୂଚନା ମିଳିଛି । ଏହି ଅନୁସନ୍ଧାନ ଦ୍ୱାରା ଆଟଲାଣ୍ଟିକ୍-ଆର୍କଟିକ୍ ଜଳ ମିଶ୍ରଣ କିପରି ଜଳବାୟୁ ଗତିଶୀଳତା ଉପରେ ପ୍ରଭାବ ପକାଇଥାଏ ସେ ସମ୍ପର୍କରେ ନୂତନ ତଥ୍ୟ ପ୍ରଦାନ କରିଛି ।
ଏହି ପ୍ରସଙ୍ଗରେ ଡକ୍ଟର ଦେ, ଭାରତରେ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ପ୍ରବାହିତ ହେଉଥିବା ମୌସୁମୀ ବାୟୁ ଦେଶର ବାର୍ଷିକ ବୃଷ୍ଟିପାତର ପ୍ରାୟ ୮୦% ଯୋଗଦାନ କରିଥାଏ ବୋଲି ସୂଚନା ପ୍ରଦାନ କରିଛନ୍ତି। ଏହା ଶାରୀରିକ ତଥା ମାନସିକ ସ୍ତରରେ କୃଷି, ଅର୍ଥନୀତି ଏବଂ ଜନସ୍ୱାସ୍ଥ୍ୟ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇଥାଏ ବୋଲି ସେ ସ୍ପଷ୍ଟ କରିଛନ୍ତି।
୩୦୦ ବର୍ଷରୁ ଅଧିକ ସମୟ ଧରି ସାମୁଦ୍ରିକ ମୌସୁମୀ ଦ୍ୱାରା ତାପମାତ୍ରାରେ ପରିବର୍ତ୍ତନ ହେଉଥିବା ବିଶ୍ୱାସ କରାଯାଉଥିଲା । ୧୯୮୦ ଦଶକରେ ଉପଗ୍ରହରୁ ଉଠାଯାଇଥିବା ଫୋଟୋ ପ୍ରମାଣ କରିଥିଲା ଯେ, ଭାରତ ବାୟୁମଣ୍ଡଳରେ ଥିବା ବାଦଲଗୁଡ଼ିକ ଇଣ୍ଟର-ଟ୍ରପିକାଲ୍ କନଭର୍ଜେନ୍ସ ଜୋନ୍ (ଆଇଟିସିଜେଡ) ସହିତ ପ୍ରାୟ ସମାନ। ତେବେ ଏହି ଆବିଷ୍କାର ସାମୁଦ୍ରିକ ବାୟୁର ସ୍ଥଳ ଆଡକୁ ଋତୁକାଳୀନ ସ୍ଥାନାନ୍ତରଣ ଭାବରେ ମୌସୁମୀର ଭୂମିକାକୁ ପୁନଃ ବ୍ୟାଖ୍ୟା କରିଛି। ଡକ୍ଟର ଦେଙ୍କ ସୂଚନା ଅନୁସାରେ, ଆଇଟିସିଜେଡ ସାଧାରଣତଃ ଇକ୍ୟୁଏଟରର ଉତ୍ତରରେ ରହିଥିବା ବେଳେ ଏହି ଗବେଷଣା ସୂଚାଉଛି ଯେ ଆଟଲାଣ୍ଟିକ୍ ମେରିଡିନାଲ୍ ଓଭରଟର୍ନିଂ ସର୍କୁଲେସନ୍ (ଏଏମଓସି)ରେ ଉତ୍ତପ୍ତ ଜଳର ପ୍ରବାହ
ଏହି ସ୍ଥିତିକୁ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।