ମୁମ୍ବଇ: ଶନିବାର ମୁମ୍ବଇରେ ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି ହୋଇଛି। ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସହରରେ ହାଇଆଲର୍ଟ ଜାରି ହୋଇଛି।
ସୂଚନାଯୋଗ୍ୟ ଯେ, ଶନିବାର ମୁମ୍ବଇରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସୂଚନା ମିଳିଛି। ଆସନ୍ତା କିଛି ଦିନ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପାର୍ବଣ ମଧ୍ୟ ଆସୁଛି। ତେବେ ଏହି ଆକ୍ରମଣ ସୂଚନା ମିଳିବା ପରେ ସହରରେ ଥିବା ଧାର୍ମିକ ସ୍ଥଳୀ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷାକୁ ବ୍ୟାପକ କରାଯାଇଛି।
ପାର୍ବଣ ସମୟରେ ସହର ଜନଗହଳିପୂର୍ଣ୍ଣ ରହୁଥିବା ବେଳେ ଏହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ମକଡ୍ରିଲ ଆରମ୍ଭ କରାଯିବା ସହ ସମସ୍ତ ଡିସିପି ନିଜ ନିଜ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣର ଖବର ପାଇବା ପରେ ଚେମ୍ବୁର ଏବଂ ମାତୁଙ୍ଗା ଅଞ୍ଚଳରେ ଥିବା ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।