ନ୍ୟୁୟର୍କ: ଗୁରୁବାର ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ର ୭୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତୁର୍କୀ ରାଷ୍ଟ୍ରପତି ତାଇପ୍ ଏର୍ଡୋଗାନଙ୍କ ଜାତିସଂଘ ଭାଷଣରେ ବଡ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେବେ ଏହି ବ୍ୟତିକ୍ରମ ଯୋଗୁଁ ପାକିସ୍ତାନ କ୍ଷୁବ୍ଧ ହୋଇଥିବା ବେଳେ ଭାରତ ଆଶ୍ଚର୍ଯ୍ୟ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ର ୭୯ତମ ବୈଠକରେ ପ୍ରଥମ ଥର ପାଇଁ ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ଦୀର୍ଘ ୫ ବର୍ଷ ଧରି କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରୁଥିବା ତୁର୍କୀ ଚଳିତ ଥର ଏହି ପ୍ରସଙ୍ଗରେ ଆଲୋଚନା କରିନାହିଁ। ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ତୁର୍କୀ ରାଷ୍ଟ୍ରପତି ତାଇପ୍ ଏର୍ଡୋଗାନ ନିୟମିତ ଭାବେ ୟୁଏନଜିଏର ଅଧିବେଶନରେ କାଶ୍ମୀର ପ୍ରସଙ୍ଗ ଉଠାଇ ଆସୁଥିଲେ। କାଶ୍ମୀର ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ କଥାବାର୍ତ୍ତାକୁ ସେ ଗୁରୁତ୍ବ ଦେଇ ଆସୁଥିଲେ। ମାତ୍ର ଚଳିତ ୟୁଏନଜିଏ ବୈଠକରେ ଏର୍ଦୋଗାନ କାଶ୍ମୀର ପ୍ରସଙ୍ଗ ପରିବର୍ତ୍ତେ ପଲେଷ୍ଟାଇନର ଗାଜାରେ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଗୁରୁତ୍ୱ ଦେଇଥିଲେ।
ଅପରପକ୍ଷରେ, ୟୁଏନଜିଏରେ ତାଇପ୍ ଏର୍ଡୋଗାନ କାଶ୍ମୀର ପ୍ରସଙ୍ଗ ନ ଉଠାଇବା ଭାରତର ଏକପ୍ରକାର କୂଟନୈତିକ ବିଜୟ ହୋଇଥିବା ବେଳେ ପାକିସ୍ତାନ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ତେବେ ସେ କାଶ୍ମୀର ପ୍ରସଙ୍ଗ ନ ଉଠାଇବାର ଅନ୍ୟତମ କାରଣ ତୁର୍କୀ ନିଜକୁ ଆନ୍ତର୍ଜାତିକ ସଂଗଠନରେ ସାମିଲ କରିବାକୁ ଇଚ୍ଛାପ୍ରକାଶ କରୁଥିବା ହୋଇପାରେ। ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହେବାକୁ ତୁର୍କୀ ଆଗ୍ରହ ପ୍ରକାଶ କରିଥିବା ବେଳେ ଏଥିପାଇଁ ତୁର୍କୀ ବ୍ରିକ୍ସର ପ୍ରଭାବଶାଳୀ ରାଷ୍ଟ୍ର ଭାରତର ସହଯୋଗ ଲୋଡିଛି। ତେଣୁ ଚଳିତ ଅଭିଭାଷଣରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇ ନଥିବା ଅନୁମାନ କରାଯାଉଛି।
ତେବେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମମତାଜ୍ ଜାହୋରା ବାଲୋଚ ଏନେଇ କହିଛନ୍ତି ଯେ, ‘ଆମେ କାହାର ମନ୍ତବ୍ୟ ଉପରେ ଅନଧିକାର ହସ୍ତକ୍ଷେପ କରିବା ଠିକ୍ ନୁହେଁ। ଏର୍ଡୋଗାନ ୟୁଏନଜିଏରେ କାଶ୍ମୀର ପ୍ରସଙ୍ଗ ଉଠାଇ ନଥିଲେ ମଧ୍ୟ ପାକିସ୍ତାନ ପ୍ରତି ତାଙ୍କର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ।’