ଗତ କିଛିଦିନ ଧରି ଓଡିଶା ସଲଗ୍ନ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ ପକ୍ଷରୁ ଆକଳନ କରାଯାଇଛି।
ସୂଚନଯୋଗ୍ୟ ଯେ, ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧୁଥିବା ନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ପଶୁପାଳକ ସୂଚନା ପ୍ରଦାନ କରିଛନ୍ତି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଲଗ୍ନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଠି ହୋଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଗୁରୁବାରଠାରୁ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ପରିମାଣ ବଢିବା ସୂଚନା ମିଳିଛି।
ଏହି ଲଘୁଚାପ ପ୍ରଭାବ ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ରହିବ ଓ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବଜ୍ରପାତ ଓ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୧୦ ତାରିଖ ପରେ ଲଘୁଚାପ ପଶିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୪୫ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ଜଗତସିଂହପୁରରେ ୪୧.୧ ମି.ମି ଓ ନବରଙ୍ଗପୁରରେ ୩୦ ମି.ମି ବର୍ଷା ରେକର୍ଡ ହୋଇଛି।