ବରଗଡ଼ ଘେଁସ: ଆସନ୍ତା ବୀରତI ଦିବସ ପାଳନ ଉପଲକ୍ଷେ ଶନିବାର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସ୍ୱାଧୀନତା ସଂଗ୍ରାମରେ ଜମିଦାର ମାଧୋ ସିଂଙ୍କ ବଳିଦାନ ଦିବସ ଡିସେମ୍ବର ୩୧କୁ ଓଡିଶା ରେ ” ବୀରତା ଦିବସ ” ଭାବେ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ବୈଠକ ଆୟୋଜିତ ହୋଇଥିଲା। ଛତିଶଗଡ ମହାଶମୁନ୍ଦର ପୂର୍ବତନ ସାଂସଦ ଚୁନିଲାଲ ସାହୁଙ୍କ ଅଧକ୍ଷତାରେ ଘେଁସ ଜମିଦାରଙ୍କ ବାସଭବନରେ ଏହି ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା I
ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଘେଁସ ଜମିଦାର ମାଧୋ ସିଂ, ତାଙ୍କର ୪ ପୁଅ, ଜ୍ୱାଇଁ ଓ ନାତୁଣୀ ଜ୍ୱାଇଁ ସମସ୍ତେ ସ୍ୱାଧୀନତା ସଂଗ୍ରାମରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେI ଏଥିମଧ୍ୟରୁ ତାଙ୍କର ଜ୍ୱାଇଁ ସୋନାଖାନ ଜମିଦାର ନାରାୟଣ ସିଂଙ୍କ ପରିବାରର ବଳିଦାନ ଅତୁଳନୀୟ I ସର୍ବ ସମ୍ମୁଖରେ ନାରାୟଣ ସିଂ ଙ୍କୁ ରାୟପୁର ଠାରେ ଗୁଳି କରି ହତ୍ୟା କରାଯାଇଥିଲା I ସେ ଥିଲେ ଛତିଶଗଡ ର ସର୍ବ ପ୍ରଥମ ସଂଗ୍ରାମୀ ଓ ଶହୀଦ I ଠିକ୍ ସେହିପରି ହଟ୍ଟେ ସିଂ ଥିଲେ ପ୍ରଥମ ଓ ଏକମାତ୍ର ଓଡ଼ିଆ ଯେ ଏହି ୧୮୫୭ ବିଦ୍ରୋହ ପାଇଁ କଳାପାଣି ପ୍ରେରିତ ହୋଇଥିଲେ I
ତେବେ ଓଡିଶାରେ ଜମିଦାର ମାଧୋ ସିଂଙ୍କ ବଳିଦାନ ଦିବସକୁ “ବୀରତା ଦିବସ ” ଭାବରେ ପାଳନ କଲାବେଳେ ସଂଗ୍ରାମୀ ନାରାୟଣ ସିଂଙ୍କ ବଳିଦାନ ଆଜି ବି ଛତିଶଗଡର ଅବହେଳିତ I ତେଣୁ ବୈଠକରେ ଆଗାମୀ ବୀରତା ଦିବସ ରେ ଏକ ମଶାଲ ଯାତ୍ରା ଛତିଶଗଡ଼ ସୋନାଖାନ ରୁ ବାହାରି ବରଗଡ଼ ବୀର ଛକ ଦେଇ ଘେଁସ ପହଞ୍ଚିବା କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହୋଇଥିଲା I ଉଭୟ ରାଜ୍ୟର ସଂଗ୍ରାମୀ ମାନଙ୍କ ସ୍ମୃତିରକ୍ଷା ତଥା ସେମାନଙ୍କ ଅବଦାନ ସମ୍ପର୍କରେ ବିଷୟରେ ଜନସାଧାରଣଙ୍କୁ ଜଣେଇବା ପାଇଁ ଏହି ସାମନ୍ୱୟ ସଭା କରାଯାଇ ବିଭିନ୍ନ ପ୍ରସ୍ତାବ ଉଭୟ ରାଜ୍ୟ ସରକାରଙ୍କ ପାଖେ ଉପସ୍ଥାପନା କରିବାର ନିଷ୍ପତି ନିଆଯାଇଛି I ବୈଠକରେ ଚୁନିଲାଲ ସାହୁଙ୍କ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ I ଏଥିରେ ଜମିଦାର ବଂଶର ଦାୟାଦ ରଂଜିତ ସିଂ ବରିହା, ବରଗଡ ବିକାଶ ମଞ୍ଚ ର ଗୋବିନ୍ଦ ଦାଶ, ଅଭିଜିତ ପ୍ରତିହାର,ଐତିହାସିକ ଓ ପ୍ରାଧ୍ୟପକ ଡ଼ ଜଗଦୀଶ ମିଶ୍ର ଓ ଗବେଷକ ଅଶୋକ କୁମାର ପୂଜାରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ I ସଭା ଶେଷରେ ଶ୍ରୀ ଅଭିଜିତ ପ୍ରତିହାର ଧନ୍ୟବାଦ ଅର୍ପଣ କରିଥିଲେ I