ଆମେରିକାର ସ୍କୁଲମାନଙ୍କରେ ବାରମ୍ବାର ହେଉଥିବା ଗୁଳିକାଣ୍ଡ ବନ୍ଦ ହେବାର ନା ଧରୁ ନଥିବା ବେଳେ ଗୁରୁବାର ସକାଳେ ଜର୍ଜିଆର ଏକ ହାଇସ୍କୁଲରେ ପୁଣିଥରେ ଗୁଳିମାଡ ହୋଇଛି। ଏତିରେ ୪ଜଣଙ୍କ ମୃତ୍ୟୁ ହେବାସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ନିଯୋଜିତ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣେ ୧୪ ବର୍ଷୀୟ ବାଳକ ହୋଇଥିବା ବେଳେ ସେ ସେହି ସ୍କୁଲର ଛାତ୍ର ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗୁରୁବାର ସକାଳ ପ୍ରାୟ ୧୦.୨୩ ସମୟରେ ଆମେରିକାର ଜର୍ଜିଆସ୍ଥିତ ଏକ ହାଇସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ୨ ଜଣ ଶିକ୍ଷକ ଓ ୨ ଜଣ ଛାତ୍ରଙ୍କ ପ୍ରାଣହାନୀ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛି ଜିବିଆଇ। ଅଭିଯୁକ୍ତର ନାମ କୋଲ୍ଡ ଗ୍ରେ ଏବଂ ସେ ସେହି ସ୍କୁଲରେ ପଢେ। କୋଲ୍ଡ ଗ୍ରେ ବିରୋଧରେ ନାବାଳକ ପରିବର୍ତ୍ତେ ସାବାଳକ ପରି ମୋକଦ୍ଦମା ଦାୟର କରାଯିବ। ଗତ ବର୍ଷ ଗ୍ରେ ଗୁଳିମାଡ କରିବା ପାଇଁ ଧମକ ଦେଇଥିଲା। କିନ୍ତୁ ତ ପରିବାର ଲୋକେ ତା ଉପରେ ନଜର ରଖିବାକୁ ପ୍ରତିଶ୍ରୁତି ଦେଇଥିବାରୁ ତାକୁ ଗିରଫ କରାଯାଇ ନଥିଲା।
ଏପରି ଏକ ଅଭାବନୀୟ ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପ ରାଷ୍ଟ୍ରପତି କାମଲା ହାରିସ ଉଦ୍ବେଗ ପ୍ରକାଶ କରିଛନ୍ତି। ଏନେଇ ବାଇଡେନ ନିଜର ସୋସିଆଲ ମିଡ଼ିଆରେ ଏହି ବନ୍ଧୁକ ହିଂସାକୁ ସମାପ୍ତି କରିବା ପାଇଁ ହ୍ଵାଇଟ ହାଉସ ପକ୍ଷରୁ ଗନ ଭାଓଲେନ୍ସ ପ୍ରିଭେନ୍ସନ ପଦକ୍ଷେପ ନିଆ ଯାଇଥିବା କହିଛନ୍ତି।