ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଦେଇଥିଲା । ଏଥିରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କର ପ୍ରାଣହାନି ଘଟିଥିଲା । ସାଧାରଣ ଜୀବନଯାତ୍ରା ଅଚଳ ହୋଇପଡିଥିଲା । କିନ୍ତୁ କୋଭିଡ ଜନିତ ତାଲାବନ୍ଦର ଅନେକ ଅନୁକୂଳ ପ୍ରଭାବ ପଡିଥିଲା ସମୁଦାୟ ପରିବେଶ ଓ ଜଳବାୟୁ ଉପରେ । ସେହି ସମୟରେ କଳ କାରଖାନା, ଗାଡିମଟର ବନ୍ଦ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ଆଶାତୀତ ଭାବରେ ହ୍ରାସ ପାଇବା ସହିତ ଉତ୍ତାପ ମଧ୍ୟ କମିଯାଇଥିଲା । ଏପରିକି ପ୍ରଦୂଷଣ ସ୍ତର ଏଭଳି ହ୍ରାସ ଘଟିଥିଲା ଯେ ଚଣ୍ଡିଗଡରୁ ହିମାଳୟ ପର୍ବତମାଳା ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ସବୁଠାରୁ ବଡ କଥା ହେଉଛି, କୋଭିଡ ଜନିତ ତାଲାବନ୍ଦ ପ୍ରଭାବ ଚନ୍ଦ୍ରପୃଷ୍ଠରେ ମଧ୍ୟ ଅନୁଭୂତ ହୋଇଥିଲା । ୨୦୨୦ରେ ଚନ୍ଦ୍ରର ତାପମାତ୍ରା ହ୍ରାସ ପାଇଥିଲା । ବୈଜ୍ଞାନିକମାନେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆବିଷ୍କାର କରିଛନ୍ତି ।
ଭାରତୀୟ ଗବେଷକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାଯାଇଛି ଯେ ୨୦୨୦ ଏପ୍ରିଲ ଓ ମେ ମାସରେ କଡାକଡି ତାଲାବନ୍ଦ ସମୟରେ ଚନ୍ଦ୍ର ପୃଷ୍ଠରେ ରାତିର ତାପମାତ୍ରା ଆଶାତୀତ ଭାବରେ ହ୍ରାସ ପାଇଥିଲା । ସେମାନେ ଲୁନାର ଅର୍ବିଟର ସହାୟତାରେ ଚନ୍ଦ୍ର ପୃଷ୍ଠର ଛଅଟି ବିଭିନ୍ନ ସ୍ଥାନରୁ ୨୦୧୭ରୁ ୨୦୨୩ ମଧ୍ୟରେ ସଂଗୃହୀତ ତାପମାତ୍ରା ତଥ୍ୟକୁ ବିଶ୍ଳେଷଣ କରିବା ପରେ ଏହା ପ୍ରକାଶ କରିଛନ୍ତି । ସେମାନଙ୍କ ଗବେଷଣାରୁ ଜଣାଯାଇଛି ଯେ ପୂର୍ବବର୍ଷଗୁଡିକ ତୁଳନାରେ କୋଭିଡ ଜନିତ ତାଲାବନ୍ଦ ସମୟରେ ଚନ୍ଦ୍ରପୃଷ୍ଠ ତାପମାତ୍ରା ୮ରୁ ୧୦ କେଲଭିନ ନିରନ୍ତର ଭାବରେ ହ୍ରାସ ପାଇଥିଲା । ଭୂପୃଷ୍ଠରୁ ଗ୍ରୀନହାଉସ ଗ୍ୟାସ ଏବଂ ଏରୋସୋଲ ନିର୍ଗତ ପରିମାଣ ହ୍ରାସ କାରଣରୁ ଚନ୍ଦ୍ରପୃଷ୍ଠ ଉପରେ ତାହାର ସକାରାତ୍ମକ ପ୍ରଭାବ ପଡିଥିବା ସେମାନେ କହିଛନ୍ତି ।