ସମଗ୍ର ଦେଶ ପାଳୁଛି ଭାରତର ସ୍ୱାଧୀନତା ସଂଗ୍ରାମର ଦୁଇ ମହାନ ନେତା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକି । ଅକ୍ଟୋବର ୨ ଦିନକୁ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଭାବରେ ପାଳନ କରାଯାଏ । କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବରେ ଦେଶର ସ୍ୱାଧୀନତା, କଲ୍ୟାଣ ଏବଂ ପ୍ରଗତି ପାଇଁ ସଂଗ୍ରାମ କରିଥିବା ମହାତ୍ମା ଗାନ୍ଧୀ ବେଶ ଲୋକପ୍ରିୟ ଥିଲେ । ତାଙ୍କର ସତ୍ୟ ଓ ଅହିଂସା ବିଚାରଧାରା ସାମ୍ନାରେ ହାର ମାନିଥିଲା ଇଂରେଜଙ୍କ ଗର୍ବ ଓ ଦମ୍ଭ । ସେହିପରି ଶାସ୍ତ୍ରୀଜୀଙ୍କ ‘ଜୟ ଜବାନ ଜୟ କିଷାନ’ ସ୍ଲୋଗାନ୍ ଭାରତୀୟଙ୍କ ମନରେ ଉତ୍ସାହ ଓ ପ୍ରୋରଣା ଭରି ଥିଲା ।
୧୮୬୯ ମସିହା ଅକ୍ଟୋବର ୨ରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ । ସମଗ୍ର ଦେଶ ସ୍ନେହରେ ଗାନ୍ଧିଜୀଙ୍କୁ ବାପୁ ବୋଲି ଡାକନ୍ତି। ସେ ଏକାଧାରାରେ ଥିଲେ ଜଣେ ଓକିଲ, ଜାତୀୟବାଦୀ ନେତା, ଅହିଂସାର ପୂଜକ, ଜାତିର ନେତା ଏବଂ ଔପନ୍ୟାସିକ। ଭାରତୀୟ ରାଜନୀତିରେ ଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟାଗ୍ରହକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ । ଶିକ୍ଷା ଅଧ୍ୟୟନ କରିବା ପାଇଁ ସେ ୧୮୮୮ରେ ଲଣ୍ତନ ଯାଇଥିଲେ । ୧୯୧୫ରେ ଭାରତ ଫେରି ଦେଶରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ନିର୍ଯାତନାକୁ ଦେଖି ଏହା ବିରୋଧରେ ଲଢ଼େଇ ପାଇଁ ସେ ଦେଶବାସୀଙ୍କୁ ଏକାଠି କରିଥିଲେ । ୧୯୨୦ ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ ଏବଂ ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସାରା ଦେଶ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଲଢ଼ିଥିଲା । ଗାନ୍ଧୀଙ୍କ ଏହି ପ୍ରୟାସ ଯୋଗୁଁ ଇଂରେଜମାନଙ୍କୁ ହାର ମାନିବାକୁ ପଡ଼ିଥିଲା ଓ ୧୯୪୭ ଅଗଷ୍ଟ ୧୫ରେ ଆମ ଦେଶ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇଥିଲା । ସ୍ୱାଧୀନ ହେବାର ମାତ୍ର ୫ମାସ ପରେ ୭୮ ବର୍ଷ ବୟସରେ ୧୯୪୮ ମସିହା ଜାନୁଆରୀ ୩୦ରେ ଦିଲ୍ଲୀ ସ୍ଥିତ ଏକ ପ୍ରାର୍ଥନା ଗୃହରେ ନାଥୁରାମ ଗଡ୍ସେଙ୍କ ଗୁଳିରେ ମହାତ୍ମା ଗାନ୍ଧୀଙ୍କର ନିଧନ ହୋଇଥିଲା ।
ସେହିପରି ସ୍ୱାଧୀନ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ୧୯୦୪ ମସିହା ଅକ୍ଟୋବର ୨ରେ ସେ ଉତ୍ତରପ୍ରଦେଶର ମୋଗଲସରାଇଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଗାନ୍ଧିଜୀଙ୍କ ଜାତୀୟତାର ପ୍ରେମରେ ସେ ଅନୁପ୍ରାଣିତ ହୋଇଥିଲେ । ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ସେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ଶାସ୍ତ୍ରିଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧ ଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ନିଜର ଅତି ସରଳ ଜୀବନଯାପନ ଓ ଉଚ୍ଚ ବିଚାର ପାଇଁ ତାଙ୍କ ପାଖରେ ସମସ୍ତେ ନତମସ୍ତକ ହେଉଥିଲେ । ପ୍ରଧାନମନ୍ତ୍ରୀ କ୍ଷମତାରେ ଥିବାବେଳେ କେବଳ ଭାରତର ନୁହେଁ ବରଂ ପୁରା ବିଶ୍ୱରେ ଶାନ୍ତି, ବିକାଶ ଓ କଲ୍ୟାଣ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ଲାଲ ବାହାଦୁର ଶାସ୍ତ୍ରୀ ସବୁବେଳେ କହୁଥିଲେ ଯେ, କୌଣସି ସରକାରଙ୍କ ପ୍ରଥମ କାମ ହେଉଛି ଦେଶର ନାଗରିକଙ୍କୁ ସବୁବେଳେ ଏକତ୍ର କରି ରଖିବା , କାରଣ ନାଗରିକଙ୍କ ଏକତ୍ୱରେ ହିଁ ଦେଶର ସୁରକ୍ଷା ଓ ପ୍ରଗତି ସମ୍ଭବ ବୋଲି ସେ ସବୁବେଳେ କହୁଥିଲେ । ୧୯୬୬ ଜାନୁଆରୀ୧୦ରେ ତାସ୍କେଣ୍ଟ ଚୁକ୍ତିନାମ ସହିତ ଯୁଦ୍ଧ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା । ତା ପରଦିନ ଅର୍ଥାତ୍ ୧୧ ତାରିଖରେ ତାସ୍କେଣ୍ଟଠାରେ ତାଙ୍କର ଅକସ୍ମାତ ମୃତ୍ୟୁ ଘଟିଥିଲା ।