ଜମ୍ମୁ: ମଙ୍ଗଳବାର ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଦାନ ପ୍ରକ୍ରିୟା ସମାପ୍ତ ହୋଇଛି। ଚଳିତ ପର୍ଯ୍ୟାୟରେ ସାମଗ୍ରିକ ମତଦାନ ହାର ୬୯.୭୫% ରେକର୍ଡ ହୋଇଛି। ଏହି ପର୍ଯ୍ୟାୟରେ ବାରାମୁଲ୍ଲା, କୁପୱାରା, ବାନ୍ଦିପୋରା, କାଠୁଆ ଏବଂ ଉଦାମପୁର ପରି ଲାଇନ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ଏବଂ ଆନ୍ତର୍ଜାତୀୟ ସୀମା ନିକଟରେ ମତଦାନ ଅନୁଷ୍ଠିତ ହୋଇଥିଲା। ତେବେ ବାରାମୁଲ୍ଲାରେ ୬୧.୦୩%, କୁପୱାରାରେ ୬୬.୭୯%, ବାନ୍ଦିପୋରାରେ ୬୭.୬୮%, କାଠୁଆରେ ୭୩.୩୪%, ଜମ୍ମୁ ରେ ୭୧.୪୦%, ଶାମ୍ବାରେ ୭୫.୮୮% ଏବଂ ଉଦାମପୁରରେ ୭୬.୦୬% ମତଦାନ ଗ୍ରହଣ ହୋଇଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ୪୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୪୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ନିର୍ବାଚନ ଆୟୋଗ ପକ୍ଷରୁ ୭ଟି ଜିଲ୍ଲାରେ ୨୪୦ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସମେତ ୫୦୬୦ ମତଦାନ କେନ୍ଦ୍ର ସ୍ଥାପନ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ କାଶ୍ମୀରର ୧୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ଜାମ୍ମୁରେ ୨୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଗ୍ରହଣ ହୋଇଛି।ଶୃଙ୍ଖଳିତ ମତଦାନ ପାଇଁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯିବା ସହିତ ୨୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ଡ୍ୟୁଟିରେ ନିୟୋଜିତ ହୋଇଥିଲେ।