ନୂଆଦିଲ୍ଲୀ: ଚୀନ୍ ସହିତ ଏଲଏସି ସମ୍ବନ୍ଧରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ପକ୍ଷରୁ ଏକ ବଡ଼ ସୂଚନା ମିଳିଛି। ଦୁଇ ଦେଶର ସମସ୍ୟା ସମାଧାନ ପାଇଁ କୂଟନୈ ତିକସ୍ତରରେ ଆଲୋଚନା ଚାଲିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାର କାର୍ଯ୍ୟ ସାମରିକ କମାଣ୍ଡରଙ୍କ ଦ୍ବାରା ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏନେଇ ସେ କହିଛନ୍ତି ଯେ “ଏଲଏସି ରେ ସ୍ଥିତି ସ୍ଥିର କିନ୍ତୁ ସ୍ୱାଭାବିକ ନୁହେଁ। ଆମକୁ ଚୀନ୍ ସହ ପ୍ରତିଦ୍ୱନ୍ଦ୍ୱିତା ଏବଂ ସହଯୋଗ କରିବାକୁ ପଡିବ। ଏହା ବ୍ୟତୀତ ମୁହାଁମୁହିଁ ହେବାକୁ ପଡିବ। ଚୀନ୍କୁ ବିଶ୍ବାସ ନାହିଁ। ତେଣୁ ପୂର୍ବ ସ୍ଥିତି ନ ଫେରିବା ପର୍ଯ୍ୟନ୍ତ ପରିସ୍ଥିତି ଏକ ଚିନ୍ତାଜନକସ୍ତରରେ ରହିବ। ସେଥିପାଇଁ ଆମେ ଯେକୌଣସି ଅପରେସନ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।” ଆହୁରି ମଧ୍ୟ ସେନା ମୁଖ୍ୟ କହିଛନ୍ତି ଯେ, “ଏହି ସମୟ ମଧ୍ୟରେ ସବୁଠାରୁ ବଡ କ୍ଷତି ହେଉଛି ବିଶ୍ୱାସ କରିବା। ଉଭୟ ପକ୍ଷଙ୍କର ନିଜସ୍ୱ ଆଭିମୁଖ୍ୟ ଥିବା ବେଳେ ଉଭୟ ଦେଶରୁ କିଛି ସକାରାତ୍ମକ ସଙ୍କେତ ଗ୍ରହଣ କରାଯାଇଛି। କିନ୍ତୁ ସାମରିକ କମାଣ୍ଡରମାନେ ବସି ଆଲୋଚନା କରିବା ପରେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଚିନ୍ତା କରାଯିବ।”
ସେନାମୁଖ୍ୟ କହିଛନ୍ତି ଯେ, “ଏଲଏସିରେ ଚୀନ୍ ଅନେକ ଗ୍ରାମ ନିର୍ମାଣ କରିଥିବା ବେଳେ ଏହି ବିଷୟରେ ଭାରତୀୟ ସେନା ଆରମ୍ଭରୁ ସତର୍କ ରହିଛି। ତିବ୍ଦତ ଏବଂ ଚୀନ୍ର ଜନସଂଖ୍ୟା ଏଲଏସି ନିକଟରେ କୃତ୍ରିମ ଇମିଗ୍ରେସନ କରାଯାଉଛି। ଏହା ସେମାନଙ୍କର ଦେଶ ତେଣୁ ସେମାନେ ଯାହା ଚାହିଁବେ ତାହା କରିବେ। ଏହା ପଛରେ ଏକ ବଡ଼ ମଡେଲ ଥାଇପାରେ ଯାହା ଆମକୁ ଦେଖିବାକୁ ପଡ଼ିବ। ଆମ ସୀମାରେ ମଧ୍ୟ ମଡେଲ ଗ୍ରାମ ଅଛି ଏବଂ ଏହା ଉପରେ ରାଜ୍ୟ ସରକାର, ସେନା ଏବଂ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।”
ସୂଚନାଯୋଗ୍ୟ ଯେ, ସେନାମୁଖ୍ୟ ଧାରା ୩୭୦ ହଟାଯିବା ପରେ କଶ୍ମୀରରେ ସ୍ଥିତିରେ ପରିବର୍ତ୍ତନ ଆସିଥିବା ପ୍ରସଙ୍ଗରେ କହିବା ସହିତ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସମେତ ଅମରନାଥରେ ବହୁ ବିକାଶ ସମ୍ପର୍କରେ କହିଛନ୍ତି। ଦକ୍ଷିଣ କଶ୍ମୀର ଉପରେ ଗୁରୁତ୍ୱ ଥିବା ବେଳେ ବର୍ତ୍ତମାନ ସେଠାରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି ବୋଲି ସେନାମୁଖ୍ୟ କହିଥିଲେ।