ହାଇଦ୍ରାବାଦ : ଦେଶରେ ହଇଚଇ ସୃଷ୍ଟି କରିଥିବା ତିରୁପତି ଲଡୁ ବିବାଦର ଏସଆଇଟି ତଦନ୍ତକୁ ତିନିଦିନ ପାଇଁ ସ୍ଥଗିତ ରଖାଯାଇଛି। ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ତିରୁପତି ଲଡୁ ବିବାଦ ଉପରେ ଏସଆଇଟି କୌଣସି ପ୍ରକାର ତଦନ୍ତ କରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ଏନେଇ ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦେଶକ(ଡିଜିପି) ଦ୍ବାରକା ତିରୁମାଲା ରାଓ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବିଶ୍ବପ୍ରସିଦ୍ଧ ତିରୁପତି ମନ୍ଦିରର ପ୍ରସାଦ ଲଡୁ ବିବାଦର ତଦନ୍ତ ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ୨୬ରେ ଏସଆଇଟି ଗଠନ କରାଯାଇଥିଲା। ତେବେ ଏହି ବିବାଦର ତଦନ୍ତ ଅଦାଲତଙ୍କ ତତ୍ତ୍ବାବଧାନରେ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଥିବାରୁ ଏହିସବୁ ଆବେଦନଗୁଡିକ ଉପରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ଶୁଣାଣି କରିବା ପର୍ଯ୍ୟନ୍ତ ଏସ୍ଆଇଟି ତଦନ୍ତକୁ ସ୍ଥଗିତ ରଖାଯାଇଛି। ଏନେଇ ଡିଜିପି ରାଓ କହିଛନ୍ତି ଯେ, “ଏସଆଇଟି ତଦନ୍ତକୁ ସ୍ଥଗିତ ରଖାଯିବା ଦ୍ବାରା ନ୍ୟାୟିକ ଜଟିଳତାକୁ ରୋକାଯାଇପାରିବ। ଏହା ସହିତ ତଦନ୍ତକୁ ମୁକ୍ତ ଓ ଅବାଧ କରାଯାଇପାରିବ। ତଦନ୍ତ ସମ୍ପର୍କରେ ସୁପ୍ରିମକୋର୍ଟ ତାଙ୍କ ରାୟ ଦେବା ପରେ ସେହି ଆଧାରରେ ତଦନ୍ତ ପ୍ରକ୍ରିୟା ଚାଲିବ।”
ପ୍ରକାଶଥାଉ କି, ସୋମବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରି କୌଣସି ତଥ୍ୟ ପ୍ରମାଣ ଆଧାର ବିନା ମୁଖ୍ୟମନ୍ତ୍ରୀ କାହିଁକି ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରସାଦରେ ଦିଆଯାଉଥିବା ଲଡୁରେ ଗାଈ, ଘୁଷୁରି ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ କରିଲେ, କୌଣସି ଅଭିଯୋଗ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆବଶ୍ୟକ ତଥ୍ୟ ପ୍ରମାଣ ହାସଲ କରିବା ଉଚିତ୍ ଥିଲା ବୋଲି କହିଥିଲେ।