କଟକ: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଜିଲ୍ଲାସ୍ଥିତ ତେଲେଙ୍ଗାପେଣ୍ଠରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, “ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ସମଗ୍ର ମାନବ ଜାତିର ସଂପଦ ଓ ସମଗ୍ର ବିଶ୍ୱର ଆଦର୍ଶ। ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା।”
କାର୍ଯ୍ୟକ୍ରମରେ ଓଡ଼ିଶାକୁ ଅତ୍ୟଧିକ ଭଲ ପାଉଥିବା କାରଣରୁ ଗାନ୍ଧୀଜୀ ଏକାଧିକ ଥର ଏଠାକୁ ଆସିଥିବା କହିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଗାନ୍ଧିଜୀଙ୍କର ଗୋଟିଏ ସ୍ମରଣୀୟ ବାକ୍ୟ ‘ଓଡ଼ିଶା ହେଉଛି ମୋର ପ୍ରେମର ଭୂମି ’ ସମ୍ବନ୍ଧରେ କହିବା ସହିତ ଗାନ୍ଧିଜୀ ତେଲେଙ୍ଗାପେଣ୍ଠକୁ ଆସି ସମସ୍ତଙ୍କୁ ସ୍ବାଧିନତା ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିବା କହିଥିଲେ। ଗାନ୍ଧିଜୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ହୃଦୟ ପରିବର୍ତ୍ତନ ଥିବା ବେଳେ ତାଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସ୍ବଚ୍ଛତା ଗାନ୍ଧୀଜୀଙ୍କ ମୁଖ୍ୟ ଆଦର୍ଶ ହୋଇଥିବା ବେଳେ ଏହାକୁ ଅନୁସରଣ କରି ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ବଡ ଅଭିଯାନ ସ୍ବଚ୍ଛ ଭାରତ ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ସ୍ବଚ୍ଛ ଭାରତ ଅଭିଯାନକୁ ଚଳିତ ବର୍ଷ ୧୦ ବର୍ଷ ହୋଇଥିବା ବେଳେ ଦେଶ ପୂର୍ବଅପେକ୍ଷା ଅଧିକ ସ୍ବଚ୍ଛ ଦେଖାଯାଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ସମାଜର ପଛୁଆ ବର୍ଗର ଲୋକଙ୍କ ବିକାଶ ଓ କଲ୍ୟାଣ, ଚାଷୀଙ୍କ ବିକାଶ ପାଇଁ ପିଏମ୍ କିଶାନ ଯୋଜନା,ଦଳିତ, ଗରିବ ଓ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ବିଭିନ୍ନ ଯୋଜନା, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ମନେପକାଇ ‘ଜୟ ଜବାନ ଜୟ କିସାନ’ ନାରାର ଫଳ ସ୍ୱରୂପ ମୋଦୀ ବିଭିନ୍ନ ଯୋଜନା ଆରମ୍ଭ କରିଥିବା କହିଥିଲେ।
ବୁଧବାର ମୁଖ୍ୟମନ୍ତ୍ରୀ ତେଲେଙ୍ଗାପେଣ୍ଠରେ ପହଞ୍ଚିବା ପରେ ଏକ ‘ରୋଡ ସୋ’ରେ ହଜାର ହଜାର ଲୋକଙ୍କ ସହିତ ଗାନ୍ଧୀ ସ୍ମୃତି ପୀଠକୁ ଯାଇ ସେଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସେ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ରେ ସେଠାରେ ଏକ ନାଗେଶ୍ବର ଗଛର ଚାରା ରୋପଣ କରିବା ପରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସେଠାରେ ଶ୍ରମ ଦାନ ମଧ୍ୟ କରିଥିଲେ । ଆନ୍ତର୍ଜାତିକ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ୱାରା ପ୍ରସ୍ତୁତ ଏକ ପୋଟ୍ରେଟ୍ ଉପହାରସ୍ୱରୂପ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିବା ସହିତ ବିଶିଷ୍ଟ ସମାଜସେବୀ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହିତ ୧୦ଜଣ ଭିନ୍ନକ୍ଷମଙ୍କୁ ସହାୟତା ଉପକରଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବଡମ୍ବା- ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା, କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ସିଏମସି କମିଶନର ଅନାମ ଚରଣ ପାତ୍ର ଏବଂ କଟକ ମୁନିସପାଲ କର୍ପୋରେସନର କର୍ପୋରେଟର ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ସ୍ବାଗତ ଭାଷଣ ଦେଇଥିବା ବେଳେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।