ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗୁରୁବାର ଲଘୁଚାପର ରୂପ ନେଇଛି । ଏହା ପ୍ରଭାବରେ ଆଗାମୀ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷର ପରିମାଣ ଭାଧିବା ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଓ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ଆଦ୍ରତାର ପରିମାଣ ୭୦ ରୁ ୯୦% ରହୁଥିବାରୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାର ସୂଚନା ଦେଇଛି ପାଣିପାଗ ବିଭାଗ ।
ସୃଷ୍ଟ ଲଘୁଚାପ ଫଳରେ ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଶୁକ୍ରବାର ପାଇଁ ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଶୁକ୍ରବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗିରକୁ ସତର୍କତା ଜାରି ହୋଇଛି। ସେହିପରି ପରବର୍ତ୍ତୀ ୨୪ ଘଣ୍ଟାରେ ଅର୍ଥାତ୍ ୭ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସକାଳୁ ବର୍ଷା ଆରମ୍ଭ ହେବ। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହେବ। ଗଣେଶ ପୂଜାରେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୋଳ ଏବଂ ଢେଙ୍କାନାଳକୁ ମଧ୍ୟ ସତର୍କ ସୂଚନା ଜାରି ହୋଇଛି ।