ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ମାନଙ୍କୁ ପାଇଁ ଆଡ଼ଭାଇଜୋରି ଜାରି କରିବା ସହିତ ଭାରତୀୟ ମାନଙ୍କୁ ଇରାନ ନ ଯିବା ପାଇଁ ପରାମର୍ଶ ଦେଇଛି। ଏନେଇ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏହି ବିବୃତିରେ କୁହାଯାଇଛି ଯେ,”ଇରାନରେ ବସବାସ କରୁଥିବା ସମସ୍ତ ଭାରତୀୟ ନାଗରିକ ସତର୍କ ରୁହନ୍ତୁ। ତେହରାନ୍ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗସୂତ୍ରରେ ରୁହନ୍ତୁ। ଭାରତ ସରକାର ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିଛନ୍ତି। ଅତି ଆବଶ୍ୟକ ନ ଥିଲେ କୌଣସି ଭାରତୀୟ ଇରାନକୁ ଯାଆନ୍ତୁ ନାହିଁ ।” ଏହି ବିବୃତିକୁ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ ଏକ୍ସ’ରେ ମଧ୍ୟ ପୋଷ୍ଟ କରି ଶେୟାର କରିଛନ୍ତି।
ପ୍ରକାଶଥାଉ କି, ଇରାନ ଓ ଇସ୍ରାଏଲ ମଧ୍ୟରେ ଆକ୍ରମଣ ପରେ ଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସରେ କଡ଼ା ସୁରକ୍ଷା ବଢ଼ାଇ ଦିଆଯାଇଛି। ସ୍ଥିତି ସଂଗୀନ ଥିବାରୁ ନୂଆଦିଲ୍ଲୀ ତୁଗଲକ୍ ରୋଡ୍ ଅଞ୍ଚଳସ୍ଥିତ ଇସ୍ରାଏଲ ଦୂତାବାସରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ସେଥିପାଇଁ ଅଧିକ ସୁରକ୍ଷା କର୍ମଚାରୀ ମୁତୟନ କରି ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବା ସହିତ ବହୁସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଅଂଚଳର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି।