ଲକ୍ଷ୍ମୀପୁର : ଶୁକ୍ରବାର ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମାନଙ୍କ ସହିତ ସ୍ଥାନୀୟ ଯୁବକ ମାନେ ଏଥିରେ ସାମିଲ ହୋଇଛନ୍ତି। ଗ୍ରୁପ ସି. ଓ ବି.ରେ ସରକାର ଯେଉଁ ନିଯୁକ୍ତି କରିଛନ୍ତି ସେଥିରେ ସ୍ଥାନୀୟ ଜିଲ୍ଲାର ପିଲାମାନଙ୍କୁ ନିଯୁକ୍ତି କରାନଯାଇ ବାହାର ଜିଲ୍ଲା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଥିବା ଯୋଗୁଁ ସ୍ଥାନୀୟ ଶିକ୍ଷିତ ପିଲାମାନେ ଉପେକ୍ଷିତ ହେଉଥିବା ଅଭିଯୋଗ ହୋଇଛି। ସେଥିପାଇଁ ସରକାର ସେହି ନିୟମ ପ୍ରତ୍ୟାହାର କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ନିମନ୍ତେ ନିୟମ ପ୍ରଣୟନ କରି ଜିଲ୍ଲାର ପ୍ରାର୍ଥୀମାନଙ୍କୁ ସି ଓ ବି ଗ୍ରୁପରେ ନିଯୁକ୍ତ କରିବା ଦାବିରେ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।
ଏହି ବନ୍ଦ ସକାଳ ୬ ଟାରୁ ପାଳନ କରାଯାଉଥିବା ବେଳେ ଲକ୍ଷ୍ମୀପୁର ଆମ୍ବେଦକର ଛକ ନିକଟରେ ୩୨୬ ନମ୍ବର ରାଞ୍ଚି-ବିଜାଓ୍ବାଡା ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ସେଥିପାଇଁ ଗମନାଗମନରେ ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାସ୍ତାର ଉଭୟ ପାର୍ଶ୍ବରେ ବସ ଟ୍ରକ ସହିତ ଯାନବାହାନ ଅଟକି ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ତେବେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସଙ୍କୁ ନିୟୋଜିତ କରାଯାଇଛି।