ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ(ଏମ୍ଇଆଇଟିୱାଇ), ଭାରତ ସରକାର ଏବଂ ସଫ୍ଟୱେର ଟେକ୍ନୋଲୋଜି ପାର୍କ୍ସ୍ ଅଫ ଇଣ୍ଡିଆ (ଏସଟିପିଆଇ) ପକ୍ଷରୁ ଜାତୀୟ ଆଇଟି ନୀତି ପ୍ରସ୍ତୁତି ଉପରେ ଏକ ମାନସ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ଏସ୍ କ୍ରିଷ୍ଣନ୍, ସେକ୍ରେଟାରୀ, ଏମ୍ଇଆଇଟିୱାଇ, ଭାରତ ସରକାର ଅଧ୍ୟକ୍ଷତା କରିବା ସହିତ ବିଶ୍ୱ ପ୍ରଯୁକ୍ତି ଦୃଶ୍ୟପଟ୍ଟରେ ଭାରତର ଆକାଙ୍କ୍ଷା ସହିତ ମେଳ ଖାଉଥିବା ଅଗ୍ରଣୀ ଆଇଟି ନୀତିକୁ ରୂପରେଖ ଦେବା ନିମନ୍ତେ ଆଇଟି ଶିଳ୍ପର ପ୍ରମୁଖ ସହଭାଗୀମାନଙ୍କ ନିକଟରୁ ଅନ୍ତର୍ଦୃଷ୍ଟି ଏବଂ ସେମାନଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରାଯିବା ଚାହିଁଥିଲେ । ଏହି ଅଧିବେଶନରେ ଶ୍ରୀ ଅରବିନ୍ଦ କୁମାର, ଡାଇରେକ୍ଟର ଜେନେରାଲ, ଏସଟିପିଆଇ, ଶ୍ରୀ ବିଶାଲ କୁମାର ଦେବ, ପ୍ରିନସିପାଲ ସେକ୍ରେଟାରୀ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ, ଓଡ଼ିଶା ସରକାର, ଶ୍ରୀ କେ.କେ ସିଂ, ଜଏଂଟ ସେକ୍ରେଟାରୀ, ଏମ୍ଇଆଇଟିୱାଇ, ଭାରତ ସରକାର ଏବଂ ସେମାନଙ୍କ ସହିତ ଆଇଟି ଶିଳ୍ପ ଓ ପରିବ୍ୟବସ୍ଥା ସହଭାଗୀମାନଙ୍କ ନେତୃବୃନ୍ଦ ଯୋଗଦେଇଥିଲେ ।କାର୍ଯ୍ୟକ୍ରମରେ ଆଇଟି/ଆଇଟିଇଏସ୍ ଶିଳ୍ପସମୂହ, ଶିଳ୍ପ ସଂଘ ଏବଂ ପରିବ୍ୟବସ୍ଥା ଅଂଶୀଦାରମାନଙ୍କରୁ ପ୍ରାୟ ୧୭୨ ଜଣ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ସେମାନଙ୍କର ମୂଲ୍ୟବାନ ପ୍ରସ୍ତାବ ଓ ତଥ୍ୟ ଉପସ୍ଥାପନ କରିଥିଲେ । ନିଜର ଉଦ୍ଯାପନୀ ଅଭିଭାଷଣରେ ଶ୍ରୀ ଏସ.କ୍ରିଷ୍ଣନ୍, ସେକ୍ରେଟାରୀ, ଏମ୍ଇଆଇଟିୱାଇ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ମୂଲ୍ୟବାନ ଅବଦାନ ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ । ସେ ଜୋର୍ ଦେଇ କହିଥିଲେ ଯେ ସେମାନେ ପ୍ରଦାନ କରିଥିବା ମତାମତ ଏବଂ ଅନ୍ତର୍ଦୃଷ୍ଟି ଆଇଟି ଶିଳ୍ପ ଏବଂ ଦେଶର ପରିବର୍ତିତ ଆବଶ୍ୟକତା ପୂରଣ ନିମନ୍ତେ ଏକ ସମାବେଶୀ ଓ ପୂର୍ଣ୍ଣାଙ୍ଗ ଜାତୀୟ ଆଇଟି ନୀତିକୁ ରୂପରେଖ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଶ୍ରୀ ସୂର୍ଯ୍ୟ ପଟ୍ଟନାୟକ, ଡାଇରେକ୍ଟର, ଏସ୍ଟିପିଆଇ, ଭୁବନେଶ୍ୱରଙ୍କ ଧନ୍ୟବାଦ ଅର୍ପଣ ସହିତ ଅଧିବେଶନ ସମାପ୍ତ ହୋଇଥିଲା