ନୂଆଦିଲ୍ଲୀ: ଚୀନ ପକ୍ଷରୁ ଭାରତ ସୀମାନ୍ତରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଭାରତର ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂ ଏଭଳି ସୂଚନା ଦେଇଛନ୍ତି, ଯାହା ଭାରତ ପାଇଁ ଚୀନ ପଟୁ ବିପଦ ବୃଦ୍ଧି ଆଶଙ୍କାକୁ ଦୃଢୀଭୂତ କରିଛି । ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଦୂର କରିବା ଦିଗରେ ଉଭୟ ଉଲ୍ଲେଖନୀୟ ଅଗ୍ରଗତି କରିଥିବା ସମ୍ପର୍କରେ କୁହାଯିବାର କିଛି ସପ୍ତାହ ପରେ ଏଭଳି ଏକ ଚିନ୍ତା ସୃଷ୍ଟିକାରୀ ତଥ୍ୟ ଆସିଛି । ଶୁକ୍ରବାର ଭାରତୀୟ ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂ କହିଛନ୍ତି, ଚୀନ ପକ୍ଷରୁ ଏଲଏସିରେ ବ୍ୟାପକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରାଯାଉଛି । ବାୟୁସେନା ଦିବସ ପାଳନ ଅବସରରେ ଶ୍ରୀ ସିଂ କହିଛନ୍ତି ଭାରତ ମଧ୍ୟ ଉକ୍ତ ଅଞ୍ଚଳରେ ତାହାର ଭିତ୍ତିଭୂମିରେ ତ୍ୱରିତ ଉନ୍ନତି କରୁଛି ।
ସମ୍ପ୍ରତି ଏଲଏସିର ଉଭୟ ପାଶ୍ୱର୍ରେ ଭାରତ ଓ ଚୀନର ସୈନ୍ୟ ମୁତୟନ ହୋଇଛନ୍ତି । ଚୀନର ବିସ୍ତାରବାଦୀ ନୀତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପୂର୍ଣ୍ଣ ସଜାଗ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି । ଚୀନ ପଟୁ ଭାରତୀୟ ସୈନ୍ୟଙ୍କୁ ବାରମ୍ବାର ଉସୁକାଇବା ଭଳି କାର୍ଯ୍ୟ କରାଯାଉଥିଲେ ମଧ୍ୟ ଭାରତୀୟ ସେନା କୌଣସି ପ୍ରକାର ମୁକାବିଲାମୂଳକ ପରିସ୍ଥିତିକୁ ଏଡାଇବା ନିମନ୍ତେ ଢେର ସଂଯମତା ଅବଲମ୍ବନ କରୁଛନ୍ତି । ସୂଚନାଯୋଗ୍ୟ ଯେ ଚୀନ ପଟୁ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ ସହିତ ତାଳ ଦେଇ ଭାରତ ପକ୍ଷରୁ ତାହାର ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଛି । ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୨ ତାରିଖରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ଚୀନ ସହିତ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ପ୍ରାୟ ୭୫ ପ୍ରତିଶତ ସମସ୍ୟା ସମାଧାନ ହୋଇଯାଇଛି । କିନ୍ତୁ ସୀମାନ୍ତରେ ସୈନ୍ୟସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ହୋଇ ରହିଛି । ପରବର୍ତ୍ତୀ ସମୟରେ ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ପୂର୍ବ ଲଦାଖରେ ଚୀନ ତାହା ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଛି । ଏପରିକି ଗଲୱାନ ଉପତ୍ୟକାରୁ ମଧ୍ୟ ନିଜ ସୈନ୍ୟଙ୍କୁ ଫେରାଇ ନେଇଛି । ଏହା ସତ୍ତ୍ୱେ ଗଲୱାନ ଉପତ୍ୟକା, ପାଙ୍ଗୋଙ୍ଗ ସୋର ଉତ୍ତର ଓ ଦକ୍ଷିଣ ପାଶ୍ୱର୍ ଏବଂ ଗୋଗ୍ରାହଟ୍ ସ୍ପ୍ରିଂ ଆଦି ଅଞ୍ଚଳ ଏବେ ମଧ୍ୟ ଦୁଇ ଦେଶ ମଧ୍ୟରେ ବିବାଦୀୟ ପ୍ରସଙ୍ଗ ହୋଇ ରହିଛି ।