ଭୁବନେଶ୍ୱର: ବାୟୁ ମଣ୍ତଳରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହେବା ଯୋଗୁଁ ଏହା ପ୍ରଭାବରେ ଶୁକ୍ରବାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ବାଂଲାଦେଶ ସମେତ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଅପରପକ୍ଷରେ ଆସନ୍ତା ୨୪ ଘଣ୍ଟା ଓଡ଼ିଶାର ଅନେକ ଅଂଚଳରେ ପାଗ ଶୁଖିଲା ରହିବ ସହିତ ଗରମ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଲଘୁଚାପ ପ୍ରଭାବରେ ଶନିବାର ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସ୍ଥାନ ଗୁଡିକରେ ବର୍ଷାର ପରିମାଣ ବୃଦ୍ଧି ପାଇ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହା ସକ୍ରିୟ ରହିବ। ତେବେ ଆସନ୍ତା ୧୧ ଓ ୧୨ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ବାହାନଗାରେ ସର୍ବାଧିକ ୩୩.୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଶୁକ୍ରବାର ରାଜ୍ୟର ସର୍ବାଧିକ ୩୬.୩ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା ।