ତେହରାନ: ଦିନକୁ ଦିନ ମଧ୍ୟପ୍ରାଚ୍ୟର ସ୍ଥିତି ସଂଗୀନ ହେଉଥିବା ବେଳେ ବେଳେ ଇରାନ ପକ୍ଷରୁ ଇସ୍ରାଏଲ୍ ଉପରେ ମିଶାଇଲ ଆକ୍ରମଣକୁ ପ୍ରସଂଶା କରିଛନ୍ତି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ। ଏହାସହ ଆବଶ୍ୟକ ପଡିଲେ ପୁଣିଠାରେ ଆକ୍ରମଣ କରାଯିବା ନେଇ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ ବରଂ ଇରାନର ଜବାବରେ ଇସ୍ରାଏଲ୍ ଅସ୍ତିତ୍ୱ ହରାଇବ ବୋଲି ଧମକ ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଇସ୍ରାଏଲ୍ ଇରାନର ସୁପ୍ରିମ ଲିଡର ଖାମେନେଇଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିବାବେଳେ ସେ ସୁରକ୍ଷିତ ସ୍ଥାନରେ ଆମତ୍ଗୋପନ କରିଥିଲେ। ତେବେ ପ୍ରାୟ ୫ ବର୍ଷ ବ୍ୟବଧାନ ପରେ ଶୁକ୍ରବାର ନମାଜ ପାଠ ବେଳେ ଖାମେନେଇ ଲୋକଲୋଚନକୁ ଆସିଛନ୍ତି। ଏହା ସହିତ ତେହରାନର ମୁଖ୍ୟ ପ୍ରାର୍ଥନା ସ୍ଥଳ ମୋସାଲ୍ଲା ମସ୍ଜିଦରେ ଅନେକ ଲକ୍ଷ ସମର୍ଥକଙ୍କୁ ସମ୍ବୋଧିତ କରି ଇସ୍ରାଏଲ୍ ଉପରେ ଇରାନ ସଶସ୍ତ୍ର ବଳର ମିଶାଇଲ ମାଡ଼କୁ ‘ଜନସାଧାରଣଙ୍କ ସେବା’ ଭାବେ ଅଭିହିତ କରିଛନ୍ତି। ଏହି ପ୍ରାର୍ଥନା ସଭାରେ ଖାମେନେଇ ପହଂଚିବା ପରେ ହେଜ୍ବୋଲ୍ଲା ମୁଖ୍ୟ ନସ୍ରଲ୍ଲା ଉଦ୍ଦେଶ୍ୟରେ ସ୍ମୃତିଚାରଣ କରାଯାଇଥିଲା। ସଭାରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶ୍କିଆନ୍ ଏବଂ ରିଭୋଲ୍ୟୁଶନାରି ଗାର୍ଡ ଜେନେରାଲମାନଙ୍କ ସମେତ ଅନେକ ଉଚ୍ଚପଦାଧିକାରୀ ସାମିଲ ହୋଇଥିଲେ।
୮୦ ବର୍ଷୀୟ ଖାମେନେଇ ନିଜ ୪୦ ମିନିଟ୍ର ଭାଷଣରେ କହିଥିଲେ,” ୨୦୨୩ ଅକ୍ଟୋବର ୭ରେ ହମାସ୍ ପକ୍ଷରୁ ଦକ୍ଷିଣ ଇସ୍ରାଏଲ୍ ଉପରେ କରାଯାଇଥିବା ଆକ୍ରମଣ ପାଲେଷ୍ଟିନୀୟଙ୍କ ପକ୍ଷରୁ ଏକ ବୈଧ କାର୍ଯ୍ୟାନୁଷ୍ଠାନ ଥିଲା। ମଙ୍ଗଳବାର କରାଯାଇଥିବା ମିଶାଇଲ୍ ଆକ୍ରମଣ ଅନ୍ତର୍ଜାତୀୟ ଆଇନ, ଇରାନର ଆଇନ ଓ ଇସ୍ଲାମିକ୍ ଆସ୍ଥା ଆଧାରିତ। ଆଫଗାନିସ୍ତାନରୁ ୟେମେନ୍ ଏବଂ ଇରାନରୁ ଗାଜା ପର୍ଯ୍ୟନ୍ତ ରାଷ୍ଟ୍ର ଶତ୍ରୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେବା ଉଚିତ। ” ଏହିସହିତ ଏହି କାର୍ଯ୍ୟରେ ନିୟୋଜିତ ଥିବାବେଳେ ପ୍ରାଣ ହରାଇଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି ଖାମେନେଇ। ସେ ପ୍ରାର୍ଥନା ସଭାରେ ସମ୍ବୋଧିତ କରୁଥିବାବେଳେ ତାଙ୍କ ପାର୍ଶ୍ୱରେ ଏକ ବନ୍ଧୁକ ରଖାଯାଇଥିଲା। ଏହି ଅବସରରେ ସେ କହିଥିଲେ ଯେ ହମାସ୍ କିମ୍ବା ହେଜ୍ବୋଲ୍ଲା ବିରୋଧରେ ଲଢ଼ି ଇସ୍ରାଏଲ୍ ତିଷ୍ଠିପାରିବ ନାହିଁ। ଏହି ସମୟରେ ଭିଡ଼ ଭିତରୁ ଧ୍ୱନି ଶୁଭୁଥିଲା, ‘ଆମେ ଆପଣଙ୍କ ସହିତ ଅଛୁ।’
ପ୍ରକାଶଥାଉ କି, ନିକଟରେ ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍) ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକ୍ରେ ହେଜ୍ବୋଲ୍ଲା ମୁଖ୍ୟ ହସନ୍ ନସ୍ରଲ୍ଲା ନିହତ ହୋଇଥିଲା। ତେବେ ଏହାର ପ୍ରତ୍ୟୁତ୍ତର ଦେବାକୁ ଯାଇ ମଙ୍ଗଳବାର ଇରାନ ପ୍ରାୟ ୧୮୦ ମିଶାଇଲ ଇସ୍ରାଏଲ୍ ଉପରକୁ ଛାଡ଼ିଥିବା ବେଳେ ଏଥିରୁ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆଇରନ୍ ଡୋମ୍ ଆୟତ୍ତ କରି ଖସାଇ ଦେଇଥିଲା।