ଜମ୍ମୁ କଶ୍ମୀର: ଶୁକ୍ରବାରଠାରୁ ଜମ୍ମୁ କଶ୍ମୀରର କୁପଓ୍ୱାରାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଜାମ୍ମୁ କାଶ୍ମୀରର ଗୁଗଲଧର ଅଞ୍ଚଳରେ ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଘଟି ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏନେଇ ଭାରତୀୟ ସେନା ସେନା ପକ୍ଷରୁ ସୂଚନା ମିଳିଥିବା ବେଳେ ସୁରକ୍ଷା ବଳ ଜମ୍ମୁ କଶ୍ମୀର କୁପଓ୍ୱାରା ଜିଲ୍ଲାରେ ଏଲଓସି ନିକଟର ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କୀଙ୍କ ଉଦ୍ୟମ ପଣ୍ଡ କରିଥିବା କୁହାଯାଇଛି । ଅନୁପ୍ରବେଶ କରୁଥିବା ସୂଚନା ପାଇ ଭାରତୀୟ ସେନାବାହିନୀ ଆତଙ୍କୀକୁ ଚ୍ୟାଲେଞ୍ଜ କରି ଗୁଳି ବିନିମୟ ଆରମ୍ଭ କରିଥିଲା । ଜବତ ହୋଇଥିବା ହତିଆର ଏବଂ ଅନ୍ୟାନ୍ୟ ସାମଗ୍ରୀରୁ ଆତଙ୍କବାଦୀମାନେ ଏକ ବଡ଼ ଷଡଯନ୍ତ୍ର କରିବାକୁ ଯୋଜନା କରୁଥିବା ଜଣା ପଡିଛି ।
ପ୍ରକାଶଥାଉ କି, ଗତ କିଛିଦିନ ତଳେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ସୁରକ୍ଷାବଳଙ୍କ ଗୁଳିର ଜଣେ ଆତଙ୍କୀ ନିହତ ହୋଇଥିଲା । ନିହତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସହିତ ଜଡିତ ବୋଲି ସନ୍ଦେହ କରାଯାଇଥିଲା ।