ଶ୍ରୀନଗର: ଅସ୍ତ୍ରଶସ୍ତ୍ର ଛାଡି ଏବେ ମୁଁ ଗାନ୍ଧୀବାଦୀ ହୋଇଯାଇଛି । ଏକ ଏକୀକୃତ, ସ୍ୱାଧୀନ କାଶ୍ମୀର ଗଠନକୁ ସମର୍ଥନ କରିବା ପାଇଁ ଗାନ୍ଧୀଙ୍କ ପ୍ରଦର୍ଶିତ ବିରୋଧ ମାର୍ଗ ଅନୁସରଣ କରୁଛି । ଏକଥା କହିଛନ୍ତି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ । ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ଟ୍ରାଇବୁନାଲ ନିକଟରେ ନିଜର ପକ୍ଷ ରଖି ୟାସିନ ମଲିକ କହିଛନ୍ତି, ସେ ୧୯୯୪ ଠାରୁ ସଶସ୍ତ୍ର ଲଢେଇ ପରିତ୍ୟାଗ କରି ଅହିଂସାକୁ ଆପଣେଇଛନ୍ତି । ଜମ୍ମୁ ଓ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ-ୱାଇ)ର ପ୍ରତିଷ୍ଠାତା ଶ୍ରୀ ମଲିକ ତାଙ୍କ ସତ୍ୟପାଠରେ ସେ କିଭଳି ପ୍ରତିବାଦ କରିବାରେ ଗାନ୍ଧୀଙ୍କ ନୀତି ଅନୁସରଣ କରୁଛନ୍ତି, ତାହା ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ ଜେକେଏଲ୍ଏଫ-ୱାଇ ୧୯୯୦ ଦଶକରେ କାଶ୍ମୀର ଉପତ୍ୟକାରେ ସଶସ୍ତ୍ର ଆତଙ୍କବାଦର ନେତୃତ୍ୱ ନେଉଥିଲା । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମଲିକ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ୧୯୯୦ ଦଶକରେ ଶ୍ରୀନଗରର ରାୱଲପୋରାରେ ବାୟୁସେନା ସ୍ଥଳ ଉପରେ ଆକ୍ରମଣ କରି ଚାରିଜଣ ଅଧିକାରୀ ଓ କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାରେ ମଲିକ ଅଭିଯୁକ୍ତ ଥିଲେ । ଚଳିତ ବର୍ଷ ପ୍ରାରମ୍ଭରେ ସାକ୍ଷୀମାନେ ମଲିକଙ୍କୁ ଉକ୍ତ ଆକ୍ରମଣ ଘଟଣାରେ ମୁଖ୍ୟ ଗୁଳିଚାଳନାକାରୀ ଭାବରେ ଚିହ୍ନଟ କରିଥିଲେ । ଏହାସହିତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗର ତଦନ୍ତ କରାଯାଇ ତାଙ୍କୁ ଦୋଷୀ ପାଇବା ପରେ ଅଦାଲତ ମଲିକଙ୍କୁ ୨୦୨୨ ମେ ମାସରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
ୟୁଏପିଏ ଟ୍ରାଇବୁନାଲ ତାଙ୍କର ନିକଟରେ ଦିଆଯାଇଥିବା ଆଦେଶରେ ଜେକେଏଲ୍ଏଫ-ୱାଇକୁ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ, ୧୯୬୭ ବଳରେ ଏକ ବେଆଇନ ସଂଗଠନ ଭାବରେ ଘୋଷଣା କରିଥିଲେ । ୧୯୯୪ଠାରୁ ଉକ୍ତ ସଂଗଠନର ଶୀର୍ଷ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ରହିଥିବା ସମ୍ପର୍କ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି ଏବଂ ଏହାର ବୈଧତାକୁ ନେଇ ପ୍ରଶ୍ନ କରିଛନ୍ତି ଟ୍ରାଇବୁନାଲ । ସତ୍ୟପାଠରେ ମଲିକ ଦର୍ଶାଇଛନ୍ତି ଯେ ୧୯୯୦ ଦଶକ ଆଦ୍ୟଭାଗରେ ଅନେକ ରାଜ୍ୟ ଅଧିକାରୀ ତାଙ୍କୁ ଅର୍ଥପୂର୍ଣ୍ଣ ଆଲୋଚନା ଜରିଆରେ କାଶ୍ମୀର ବିବାଦର ସମାଧାନ କରାଯିବାକୁ ପ୍ରତିଶୃତି ଦେଇଥିଲେ । ତାଙ୍କୁ ମଧ୍ୟ କୁହାଯାଇଥିଲା ଯେ ସେ ଯଦି ଏକତରଫା ଅସ୍ତ୍ରବିରତି କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ଏବଂ ଜେକେଏଲଏଫ-ୱାଇ ସଦସ୍ୟଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ରଦ୍ଦ କରିଦିଆଯିବ । ତେବେ କେନ୍ଦ୍ର ସରକାର ୨୦୨୪ ମାର୍ଚ୍ଚ ୧୫ରେ ତାଙ୍କର ନିଷେଧ ବିଜ୍ଞପ୍ତିରେ ଏବଂ ଜେକେଏଲଏଫ୍-ୱାଇ ବିରୁଦ୍ଧରେ ଦାଏର ମାମଲାଗୁଡିକରେ ସଂପୃ୍ତ ଅଧିକାରୀମାନଙ୍କର ବିବୃତି ଜରିଆରେ ଯୁକ୍ତି ଦର୍ଶାଇଥିଲେ ଯେ ୧୯୯୪ରେ ସଶସ୍ତ୍ର ବିଦ୍ରୋହରେ ପୂର୍ଣ୍ଣଚ୍ଛେଦ ପକାଇବା ସତ୍ତ୍ୱେ ମଲିକ ଆତଙ୍କବାଦ ଜାରି ରହିବା ନିମନ୍ତେ ସମର୍ଥନ ଦେଇଆସୁଥିଲେ ।