ନୂଆଦିଲ୍ଲୀ: ମହାକାଶ ଅଭିଯାନରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବ । ଏଥିପାଇଁ ସଂସ୍ଥା ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ସମ୍ପ୍ରତି ଏହା ଶୁକ୍ର ଅଭିଯାନ ଉପରେ କାର୍ଯ୍ୟକ୍ରମ ଜାରି ରଖିଛି । ଏହି ଅଭିଯାନ ୨୦୨୮ ମାର୍ଚ୍ଚ ୨୯ରେ ଆରମ୍ଭ ହେବ । ଶୁକ୍ରଯାନ-୧ ଏହି ଗ୍ରହକୁ ଯିବା ନିମନ୍ତେ ଭାରତର ପ୍ରଥମ ଯାନ ହେବ । ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଭାଗ ଏବଂ ଭୂତାତ୍ତ୍ୱିକ ବିଶେଷତ୍ୱ ସମ୍ପର୍କରେ ଗବେଷଣା ଏହି ଅଭିଯାନର ଲକ୍ଷ୍ୟ ହେବ । ଏଥିପାଇଁ ଉତ୍କ୍ଷେପଣ ହେବାକୁ ଯାଉଥିବା ମହାକାଶ ଯାନକୁ ମୋଟ ୧୧୨ ଦିନ ଲାଗିବ । ଏହାକୁ ଇସ୍ରୋର ଶକ୍ତିଶାଳୀ ଏଲଭିଏମ୍-୩ (ଉତ୍କ୍ଷେପଣ ଯାନ ମାର୍କ ୩) ରକେଟ ସହାୟତାରେ ପଠାଯିବ । ଭେନସ୍ ଅର୍ବିଟର ତାହାର ଲକ୍ଷ୍ୟସ୍ଥଳରେ ୨୦୨୮ ଜୁଲାଇ ୧୯ ତାରିଖରେ ପହଞ୍ଚିବା ଆଶା କରାଯାଉଛି । ଏଥିରେ କେତେକ ସର୍ବାଧୁନିକ ଯୁଗର ଉପକରଣ ପଠାଯିବ । ଯେଉଁଥିରେ ସିନ୍ଥେଟିକ ଆପରେଚର ରାଡାର, ଇନଫ୍ରାରେଡ ଓ ଅଲଟ୍ରାଭାଓଲେଟ କ୍ୟାମେରା ଏବଂ ସେନ୍ସର ରହିବ । ସେଗୁଡିକ ଶୁକ୍ରର ଆୟୋନୋସ୍ପିୟର ସମ୍ପର୍କରେ ଅନୁଧ୍ୟାନ କରିବ । ଏହାବ୍ୟତୀତ ସେଠାରେ ଆଗ୍ନେୟଗିରି ଉଦଗୀରଣ ସମ୍ପର୍କରେ ଗବେଷଣା ପାଇଁ ଭିସାର୍ (ରାଡାର), ଶୁକ୍ର ପୃଷ୍ଠଭାଗ ଓ ବାୟୁମଣ୍ଡଳ ସମ୍ପର୍କରେ ଗବେଷଣା ପାଇଁ ଭିସିମ୍ (ମ୍ୟାପର), ବାୟୁମଣ୍ଡଳୀୟ ତଥ୍ୟ ଓ ଅନ୍ୟାନ୍ୟ ଚିତ୍ର ସଂଗ୍ରହ ନିମନ୍ତେ ଭିଟିସି (ଥର୍ମାଲ କ୍ୟାମେରା), ଶୁକ୍ର ବାୟୁମଣ୍ଡଳରେ ବୈଦୁ୍ୟତିକ କାର୍ଯ୍ୟକଳାପ ଅନୁଧ୍ୟାନ ନିମନ୍ତେ ଭଆସାପ୍ (ସ୍ପେକଟ୍ରୋମିଟର) ଆଦି ପଠାଯିବା କାର୍ଯ୍ୟକ୍ରମ ରହିଛି । ଏହି ଅଭିଯାନ ନିମନ୍ତେ ୧୨୩୬ କୋଟି ଟଙ୍କା ବ୍ୟୟ ଅଟକଳ କରରାଯାଇଛି ଏବଂ କେନ୍ଦ୍ର ସରକାର ତାହାକୁ ଅନୁମୋଦନ କରିଛନ୍ତି ।