କ୍ରିଷ୍ଣାଭରମ: ରବିବାର ଏକ ଫଳ ବୋଝେଇ ଟ୍ରକ୍ରୁ ଜବତ ହୋଇଛି ୮ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧ କୋଟି ୬୧ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି। ଗାଡିଟି ଭୁବନେଶ୍ୱର ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ କ୍ରିଷ୍ଣାଭରମ ଅଂଚଳରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡି ଆର ଆଇ) ଏହାକୁ ଜବତ କରିଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ଏକ ଫଳ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବା ନେଇ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସେଥିପାଇଁ ରବିବାର ରାତିରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଜଗି ରହିଥିଲେ। ଏହି ସମୟରେ ଏକ କାର୍ ସେହି ଫଳ ବୋଝେଇ ଟ୍ରକଟିକୁ ଏସ୍କର୍ଟ ଦେଇ ଆଣୁଥିବା ସମୟରେ ଜବତ କରିଥିଲେ କର୍ମଚାରୀ।
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଓ କାର୍କୁ ଅଟକାଇବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ କର୍ମଚାରୀମାନେ ଟ୍ରକ୍ ଓ କାରକୁ ପିଛା କରିଥିଲେ। ଫଳରେ ଟ୍ରକ୍ଟି ଦ୍ରୁତ ଗତିରେ ଆସି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କ୍ରିଷ୍ଣାଭରମ୍ ଟୋଲଗେଟକୁ ଧକ୍କା ଦେଇଥିଲା। କାରଟି ମଧ୍ୟ ସେଠାରେ ଅଟକି ଯାଇଥିଲା। ଏହାପରେ କର୍ମଚାରୀମାନେ ଉକ୍ତ କାର୍ ଓ ଟ୍ରକ୍କୁ ଯାଞ୍ଚ କରିବା ବେଳେ ସେଥିରୁ ପ୍ୟାକେଟ ପ୍ୟାକେଟ ଗଞ୍ଜେଇ ଜବତ କରିଥିଲେ। ଜବତ ଗାଡ଼ିରେ ପ୍ରାୟ ୮୦୮.୧୮ କେଜି ଗଞ୍ଜେଇଥିବା ସୂଚନା ମିଳିଛି। ଏହାସହିତ ଡି ଆର ଆଇ ପକ୍ଷରୁ କାର୍ ଓ ଫଳ ବୋଝେଇ ଟ୍ରକ୍କୁ ଜବତ କରାଯାଇ ଘଟଣାର ତଦନ୍ତ କରାଯାଉଛି।