କୋରାପୁଟ: କୋରାପୁଟ ଦେଶୀୟ ଉତ୍ପାଦ ସମଗ୍ର ବିଶ୍ୱ ବଜାରରେ ଚାହିଦାରେ ରହିଛି । ଯେଉଁ ମାଣ୍ଡିଆ ଗରିବ ଆଦିବାସୀ ଙ୍କ ଖାଦ୍ୟ ଭାବେ ପରିଚିତ କରାଇଥିଲା ଆଜି ତାହା ବଡ଼ ବଡିଆଙ୍କ ଖାଦ୍ୟ ଥାଳିର ପ୍ରଥମ ପସନ୍ଦ ଭାବେ ଉଭା ହୋଇଛି। ତେବେ ମାଣ୍ଡିଆ ବ୍ୟତୀତ କୋରାପୁଟରେ ଏବେ ଦାମାସ୍କ ଗୋଲାପ ଚାଷକୁ ପାଇଲଟ ପ୍ରୋଜେକ୍ଟ ଭାବେ ହାତକୁ ନିଆଯାଇଛି। ଜିଲ୍ଲାର ଅନୁକୂଳ ପରିବେଶ ଏବଂ ଜଳବାୟୁ ଏଭଳି ଚାଷ ପାଇଁ ବେଶ ଉପଯୋଗୀ ବୋଲି ଗବେଷଣାରୁ ଜଣାପଡିବା ପରେ ସମନ୍ୱୟ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦଶମନ୍ତପୁର ବ୍ଲକ ପୁରୀମୁଣ୍ଡାରେ ଆରମ୍ଭ ହୋଇଛି।
ସୁଚନା ଅନୁଯାୟୀ ଏଠାରେ ବଜାର ସୁବିଧା ନଥିବାରୁ ଫାଇଟାବିକ କଂପାନୀ ଚାଷୀଙ୍କଠାରୁ ଗୋଲାପ କିଣି ବାହାରକୁ ଛାଡୁଛି । ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶ ଏବଂ କାନପୁର ଆଦି ସ୍ଥାନରେ ଏହି ଗୋଲାପର ଚାହିଦା ରହିଥିବା ବେଳେ କେରଳର କୋଚିନରେ ଏହାର ଚାହିଦା ସବୁଠୁ ଅଧିକ। ଏହି ଚାଷକୁ ଅଧିକ ମୂଲ୍ୟଭିତ୍ତିକ ଏବଂ ଚାଷୀଙ୍କୁ ଅଧିକ ରୋଜଗାର କ୍ଷମ କରିବାପାଇଁ ସେହିଠାରେ ପୁରୀମୁଣ୍ଡାରେ ଦୁଇଟି ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଏଥିପାଇଁ କମ୍ପାନୀ ବୈଷୟିକ ସହାୟତା ଓ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବେଳେ ଆଇଟିଡିଏ ପ୍ରୋତ୍ସାହନ ଯୋଗାଇଛି।
ପ୍ରକାଶଥାଉ କି, ୧ କେଜି ଫୁଲରେ ପ୍ରାୟ ୨ କେଜି ଗୋଲାପ ଜଳ ବାହାରୁଥିବା ବେଳେ ୧ କେଜି ଗୋଲାପ ଜଳ ଅମଳ ପାଇଁ ୧ ଘଣ୍ଟା ଲାଗିଥାଏ। ତେବେ କମ୍ପାନୀ ୧ କେଜି ଗୋଲାପ ଜଳକୁ ୧୫୦ ଟଙ୍କାରେ ନେଉଥିବା ବେଳେ ବ୍ୟବସାୟଙ୍କ ପାଖକୁ ଗଲାବେଳେ ୨୦୦ ଟଙ୍କା ଓ ଗ୍ରାହକଙ୍କ ପାଖକୁ ପହଞ୍ଚିବା ବେଳକୁ ତାହା ୩୫୦ ଟଙ୍କାରେ ପରିଣତ ହୋଇଯାଇଛି। ଗବେଷଣାରୁ ମାଟିରେ ଦ୍ରବ୍ୟଗୁଣ ଅଧିକ ଥିବା କାରଣରୁ ଜୈବିକ ପଦ୍ଧତିର ଗୋଲାପ ଚାଷ କରି ଆଦିବାସୀମାନେ ସ୍ବାବଲମ୍ବୀ ହୋଇପାରିବେ ଏବଂ ଖୁବ୍ କମ୍ ଦିନରେ କୋରାପୁଟର ଗୋଲାପ ବିଶ୍ବବଜାରରେ ଚାହିଦା ସୃଷ୍ଟି କରିବ।
କୋରାପୁଟ ଲକ୍ଷ୍ମୀପୁରସ୍ଥିତ ନନ୍ଦପୁର ବ୍ଲକରେ ପ୍ରଚୁର ପରିମାଣରେ ହଳଦୀ ଉତ୍ପାଦିତ ହେଇଥାଏ। ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ହଳଦୀ ଚାଷ ପାଇଁ ପ୍ରକୃଷ୍ଟ ସମୟ ହୋଇଥିବା ବେଳେ ଏଠାରେ ବର୍ଷକୁ ପ୍ରାୟ ୩ ହଜାର ହେକ୍ଟର ଜମିରେ ହଳଦୀ ଚାଷ ହୋଇଥାଏ। କୋରାପୁଟ ହଳଦୀ ଗୁଣ୍ଡ ସମେତ ହଳଦୀ ସାବୁନ୍ ଆମେରିକା ଓ ଅଷ୍ଟ୍ରେଲିଆ ଆଦି ବଜାରରେ ପହଞ୍ଚିସାରିଥିବା ବେଳେ ବେଙ୍ଗାଲୁରୁ,କେରଳ, ଭୁବନେଶ୍ୱର ଆଦି ସ୍ଥାନରେ ହଳଦୀ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଲକ୍ଷ୍ମୀପୁରରେ କେଶରୀ ଓ ନନ୍ଦପୁରରେ ରୋମା ବର୍ଗର ହଳଦୀ ଚାଷ ହେଉଥିବା ବେଳେ ଏହି ହଳଦୀରେ ଗୁଣବତ୍ତା ଭରି ରହିଥିବାରୁ ଏହା ସମସ୍ତ ପ୍ରଥମ ପସନ୍ଦ ହୋଇପାରିଛି।
ଅଦା ପାଇଁ କୋରାପୁଟ ଜିଲ୍ଲାର ପଟାଙ୍ଗି, ସେମିଗୁଡ, ନନ୍ଦପୁର, ଲମତାପୁଟ ଆଦି ବ୍ଲକ ବେଶ ପରିଚିତ ହୋଇଥିବା ବେଳେ ଏଠାରେ ବର୍ଷକୁ ଦୁଇଥର ଜୁଲାଇ ରୁ ସେପ୍ଟେମ୍ବର ଓ ଡିସେମ୍ବର ରୁ ଫେବୃଆରୀ ମାସରେ ଅଦା ଚାଷ ପ୍ରଚୁର ପରିମାଣରେ ହୋଇଥାଏ। ତେବେ ବର୍ଷକୁ ପ୍ରାୟ ୫୦ ହଜାର ରୁ ଊର୍ଦ୍ଧ୍ବ ମେଟ୍ରିକ୍ ଟନ୍ ଉତ୍ପାଦିତ ଅଦାରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରନ୍ତି ଏଠାକାର ଆଦିବାସୀ ଚାଷୀ। ନାଲକୋ ଫାଉଣ୍ଡେସନ ପକ୍ଷରୁ ଯାନ୍ତ୍ରିକ ସହାୟତା ଓ ଓରମାସର ଆର୍ଥିକ ସହାୟତା ତଥା ସଖା ଫାଉଣ୍ଡେସନ ଦକ୍ଷତା ବିକାଶ ଯୋଗୁଁ ବିଭିନ୍ନ ଉତ୍ପାଦକ କମ୍ପାନୀ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଦାରୁ ଶୁଷ୍ଠି, ଶୁଖିଲା ଅଦାରେ ଚକୋଲେଟ ଆଦି ପ୍ରସ୍ତୁତି କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଅଦାରୁ ପ୍ରସ୍ତୁତି ସାମଗ୍ରୀର ଚାହିଦା କେବଳ କୋରାପୁଟ ନୁହେଁ ଆନ୍ଧ୍ରପ୍ରଦେଶ ରାୟପୁର ଭୁବନେଶ୍ୱର ଆଦି ସ୍ଥାନରେ ନିଜର ଆଧିପତ୍ୟ ବିସ୍ତାର କରିପାରିଛି ।
କୋରାପୁଟ କଫି ନାମରେ ପ୍ରସିଦ୍ଧ କଫି କୋରାପୁଟର ଶୀତଳ ଵାତାବରଣ ପାଇଁ ପ୍ରଚୁର ପରିମାଣରେ ଉତ୍ପାଦିତ ହୁଏ। ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଲାର ପ୍ରାୟ ୨୯୦୦ ହେକ୍ଟର ଜମିରେ କଫି ଚାଷ କରାଯାଉଥିବା ବେଳେ ପ୍ରାୟ ୧୫୦-୨୦୦ ମେଟ୍ରିକ୍ ଟନ୍ ଉର୍ଦ୍ଧ୍ବ କଫି ଉତ୍ପାଦନ କରିଥାନ୍ତି ଚାଷୀ। ଟିଡିସିସି ଚଳିତବର୍ଷ ଆଦିବାସୀ ଚାଷୀଙ୍କୁ ଠାରୁ ବିଭିନ୍ନ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୮୪ ମେଟ୍ରିକ ଟନ୍ କଫି କ୍ରୟ କରିଛି। ଦୁବାଇରେ ଅନୁଷ୍ଠିତ ୱାର୍ଲଡ ଅଫ୍ କଫି ନାମକ ବିଶ୍ବସ୍ତରୀୟ ପ୍ରଦର୍ଶନୀରେ କୋରାପୁଟ କଫି ଉଚ୍ଚ ପ୍ରଶଂସିତ ହୋଇପାରିଛି। ଜାପାନରେ ମଧ୍ୟ କୋରାପୁଟ କଫି ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି।
ଲେମନ ଗ୍ରାସ ପାଇଁ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏଥିରୁ ଲେମନଗ୍ରାସ ତେଲ ଉତ୍ପାଦନ ହୋଇଥାଏ। ବର୍ଷକୁ ପ୍ରାୟ ୪ଥର ଏହି ଉତ୍ପାଦକୁ ଚାଷ କରି ଏଥିରୁ ସଂଗୃହୀତ ତେଲ ବଜାରକୁ ଛଡ଼ାଯାଇଥାଏ। ଏହି ଉତ୍ପାଦ ବେଶ ଉଚ୍ଚା ଦରରେ ବିକ୍ରି ହେଉଥିବା ବେଳେ ପଢସି ବ୍ୟବସାୟୀ ଏହାକୁ ଅଧିକ ପରିମାଣରେ କ୍ରୟ କରି ନିଅନ୍ତି। ଲେମନଗ୍ରାସ ତେଲ ଉପକାରୀ ଓ ଯନ୍ତ୍ରଣା ଉପଶମ କାରୀ ତଥା ଲାଭବାନ ବ୍ୟବସାୟ ହୋଇଥିବାରୁ ଚାଷୀ ମଧ୍ୟ ଏହାକୁ ଆଗ୍ରହର ସହ ଚାଷ କରୁଥିବା ଦେଖିବାକୁ ମିଳିଥାଏ ।
କୋଟିଆ ମାଟିରେ ଫଳୁଥିବା ଷ୍ଟ୍ରବେରି ଏବେ ଉଭୟ ରାଜ୍ୟର ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ସମ୍ପୂର୍ଣ ଜୈବିକ ପଦ୍ଧତିରେ ହେଉଥିବା ଏହି ଷ୍ଟ୍ରବେରି ଚାଷ ଚାଷୀଙ୍କୁ ଲାଭବାନ କରିପାରୁଥିବେଳେ କୋଟିଆକୁ ସ୍ୱତନ୍ତ୍ର ପରିଚୟକୁ ଦେଇଛି। ପ୍ରାୟ ୨୦ ଏକରରୁ ଉର୍ଦ୍ଧ୍ବ ଜମି ରେ ୯ ଟି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଏହି ଷ୍ଟ୍ରବେରି ଚାଷ କରାଯାଉଛି।
ସେହିପରି ଗରିବଙ୍କ ଆହାର ଭାବେ ପରିଗଣିତ ଥିବା ମାଣ୍ଡିଆ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇପାରିଛି । କେବଳ ଆମ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ କୋରାପୁଟ ମାଣ୍ଡିଆ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଛି। କୋରାପୁଟ ଜିଲ୍ଲାର ପଟାଙ୍ଗି, ସେମିଗୁଡ, ନନ୍ଦପୁର, ଲମତାପୁଟ ଆଦି ବ୍ଲକର ଅଧିକାଂଶ ଚାଷୀ ମାଣ୍ଡିଆ ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଏଠାକାର ମାଣ୍ଡିଆ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ପହଞ୍ଚିସାରିଛି। ମାଣ୍ଡିଆରୁ ପ୍ରସ୍ତୁତ ଚକୋଲେଟ, ଗଜା, ଆରିସା ପିଠା, ମିଠା ମୁଡୁକି, ମିକଚର ଆଦି ଦେଶର ଅଧିକାଂଶ ବଜାରରେ ଗ୍ରାହକଙ୍କ ପସନ୍ଦ ପାଲଟିଛି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ ଭରି ରହିଥିବା ସହ ମଧୁମେହ ରୋଗୀଙ୍କ ପାଇଁ ଏହା ମହୌଷଧି ଭଳି କାମ କରୁଥିବାରୁ ଏଭଳି କ୍ଷୁଦ୍ର ଶସ୍ୟ ଗରିବ କୁଡ଼ିଆରୁ ବିଶ୍ଵର ବିତ୍ତ ଶାଳୀ ଙ୍କ ଖାଦ୍ୟ ଥିଳିରେ ପହଞ୍ଚିପାରିଛି।
କୋରାପୁଟର ଦେଶୀୟ ଉତ୍ପାଦ ସମ୍ବନ୍ଧରେ ଚର୍ଚ୍ଚା କଲେ ଏଠାକାର କଳାଜିରା ଧାନ ଏକ ଅମୂଲ୍ୟ ଦାନ କହିଲେ ଅତ୍ୟୁକ୍ତି ହେବନାହିଁ। କଳାଜିରା ଧାନ ବିଶ୍ବ ଦରବାରରେ ବେଶ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏଥିରୁ ପ୍ରସ୍ତୁତ ଚାଉଳ ସ୍ବାସ୍ଥ୍ୟ ପକ୍ଷେ ବେଶ ହିତକର। ତେଣୁ ବିଶ୍ବ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଛି। କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦୁରା, ବୋରିଗୁମ୍ମା ଆଦି ଅଞ୍ଚଳରେ ଚାଷୀ ଏଭଳି ଔଷଧୀୟ ଗୁଣବତ୍ତାରେ ଭରା କଳାଜିରା ଧାନ ଚାଷ ଚାଷୀ ମାନଙ୍କୁ ପରିଚୟ ପ୍ରଦାନ କରିଛି ।