ଜମ୍ମୁ-କାଶ୍ମୀରରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବାରମୁଲ୍ଲାର ସାଂସଦ ଶେଖ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶଦିଙ୍କ ମତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ରଶିଦ କଂଗ୍ରେସ କି ବିଜେପି ସମର୍ଥନ ଜଣାଇବେ ପ୍ରସଙ୍ଗରେ ରଖିଛନ୍ତି ନିଜ ମତ। ଏହି ଅବସରରେ ସେ କହିଛନ୍ତି, “ଏଠାରେ ସମସ୍ତେ କ୍ଷମତା ଲୋଭରେ ଅନ୍ଧ ।ଯେକୌଣସି ପରିସ୍ଥିତିରେ ବି ସେମାନେ ଗାଦିରେ ବସି ଶାସନ ଡୋରିକୁ ଧରିବାକୁ ଚାହୁଁଛନ୍ତି। ଆଜିଠୁ ପୂର୍ବରୁ ମୋତେ କୌଣସି ରାଜନୈତିକ ଦଳ ପଚାରୁ ନ ଥିବା ବେଳେ ଏବେ ଫଳାଫଳ ବାହାରିବା ପୂର୍ବରୁ କିନ୍ତୁ ସମସ୍ତେ ଯୋଗାଯୋଗ କରୁଛନ୍ତି।”
ଏହା ସହ ରଶିଦ କହିଛନ୍ତି, “ଫଳାଫଳ କ’ଣ ଆସିବ ତାକୁ ନେଇ ମୁଁ ଚିନ୍ତିତ ନୁହେଁ। କିନ୍ତୁ ଏଠାକାର ଲୋକଙ୍କୁ ମୋଦି କିମ୍ବା ଓମାର ଅବୁଦୁଲ୍ଲାଙ୍କ ସ୍ୱପ୍ନର କଶ୍ମୀର ଦରକାର ନାହିଁ। ବରଂ ସେମାନଙ୍କୁ ଏପରି କଶ୍ମୀର ଦରକାର ଯେଉଁଠି ସେମାନଙ୍କ ଭାବନାକୁ ପ୍ରାଥମିକତା ଦିଆଯିବ । ମୁଁ ସବୁବେଳେ ଜମ୍ମୁ- କଶ୍ମୀରର ଲୋକଙ୍କ ଭଲ ପାଇଁ ଲଢେଇ କରିଛି। ମୁଁ ଏପରି ଏକ କଶ୍ମୀରର ସ୍ୱପ୍ନ ଦେଖୁଛି, ଯେଉଁଠି ଚାରିଆଡ଼େ କେବଳ ଶାନ୍ତି ଥିବ। ସମସ୍ତେ ମିଶିକି ରହିବେ ଓ ଲୋକଙ୍କ ସ୍ୱରକୁ ସରକାର ଶୁଣିବେ।” ବିପକ୍ଷ ଦଳଙ୍କୁ କ୍ୟାମ୍ପେନ ପାଇଁ ପ୍ରାୟ ୫ ବର୍ଷ ସମୟ ମିଳିଥିବା ବେଳେ ଏଆଇପିକୁ ମାତ୍ର ୧୦-୧୨ ଦିନ ସମୟ ମିଳିଛି ବୋଲି କହିଛନ୍ତି ରଶିଦ। ତେବେ ଜନାଦେଶକୁ ଦଳ ସମ୍ମାନ ଜଣାଇବା ନେଇ ସୂଚନା ଦେଇଛନ୍ତି ରଶିଦ।
ପ୍ରକାଶଥାଉ କି, ବାରମୁଲ୍ଲାର ସାଂସଦ ଶେଖ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶଦି ୨୦୧୭ ମସିହା ରେ ଟେରର ଫଣ୍ଡିଂ କେସ୍ରେ ଗିରଫ ହୋଇ ତିହାର ଜେଲରେ ଥିଲେ । ୨୦୧୯ରୁ ଜେଲରେ ଥିବା ରଶିଦଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା। ତେବେ ନିର୍ବାଚନ ପୂର୍ବରୁ ମୁକୁଳିଥିବା ରଶିଦଙ୍କୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ତାଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ହୋଇଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନ ସେ ଜେଲରେ ଥାଇ ବାରମୁଲ୍ଲାରୁ ଲଢ଼େଇ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାକୁ ହରାଇଥିଲେ।