ଭୁବନେଶ୍ୱର: ଓଡିଶାର ଐତିହାସିକ ବାଲିଯାତ୍ରା ଦେଶ ବିଦେଶରେ ପ୍ରସିଦ୍ଧ ଥିବା ବେଳେ ଏହାକୁ ଆହୁରି ପ୍ରସିଦ୍ଧ କରିବା ପାଇଁ ପଦକ୍ଷେପ ନେଇଛନ୍ତି ଓଡିଶା ସୋସାଇଟି ଅଫ ୟୁନାଇଟେଡ଼ କିଙ୍ଗଡ଼ମ (ଓଏସୟୁକେ)। ଓଏସୟୁକେର ପ୍ରଚେଷ୍ଟାରେ ଲଣ୍ଡନରେ ଆସନ୍ତା ନଭେମ୍ବରର ୩୦ ତାରିଖରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା । ତେବେ ଏହାକୁ ଆୟୋଜିତ କରିବା ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର ।
ସୂଚନାଯୋଗ୍ୟ ଯେ, ଓଡିଶା ସୋସାଇଟି ଅଫ ୟୁନାଇଟେଡ଼ କିଙ୍ଗଡ଼ମ (ଓଏସୟୁକେ) ୪୦ ବର୍ଷ ହେଲା ଲଣ୍ଡନରେ କାର୍ଯ୍ୟ କରୁଥିବା ବେଳେ ଲଣ୍ଡନରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ ଯୋଗାଇ ଆସୁଛି ଏହି ସଂଗଠନ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଏହି ଅନୁଷ୍ଠାନ କାର୍ଯ୍ୟ କରୁଥିବା ବେଳେ ଚଳିତ ବର୍ଷ ଲଣ୍ଡନରେ ଓଡ଼ିଶା ପ୍ରସିଦ୍ଧ ବାଲିଯାତ୍ରା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ସେଥିପାଇଁ ସଂଗଠନ ପକ୍ଷରୁ ଓଡିଶା ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସଂଗଠନର ଅନ୍ୟତମ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ସାକ୍ଷାତ କରିଛନ୍ତି । ତେବେ ଲଣ୍ଡନରେ ବାଲିଯାତ୍ରା ଲାଗି ମୁଖ୍ୟମନ୍ତ୍ରୀ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ପାର୍ଥ କହିଛନ୍ତି ।
ବାଲିଯାତ୍ରା ଆୟୋଜନ ନେଇ ସଂଗଠନର ୮ ଜଣ ନିର୍ଦ୍ଦେଶକ ପାର୍ଥ ସାରଥୀ ପଣ୍ଡା, ସଲିଲ କୁମାର ଦାସ, ଡ଼. ପ୍ରକାଶ କୁମାର ଦେ, ଡ. ବିଭୂତି ଭୂଷଣ ପଟ୍ଟନାୟକ, ସସ୍ମିତା ରାଜହଂସ, ପ୍ରଭାତ ମିଶ୍ର, ଦୀପ୍ତି ମହାନ୍ତି, ଶ୍ରୀକାନ୍ତ କୁମାର ପାଢୀଙ୍କ ମଧ୍ୟରେ ବୈଠକ ଆୟୋଜିତ ହୋଇଥିଲା । ସଂଗଠନର ଉପଦେଷ୍ଟା ଡ଼. ନିତ୍ୟାନନ୍ଦ ପଟ୍ଟନାୟକ, ସଦସ୍ୟ ଶୁଭକାନ୍ତ ଦାସ, ଆଶିଷ ରାଜହଂସ, ଆରିହନ ସିହ୍ନା, ସତ୍ୟ ସିଦ୍ଧାର୍ଥ, ଶ୍ୱେତା ମହାନ୍ତି, ସୁମନ୍ତ ମାନସିଂହ, ସୋନାଲି ପଣ୍ଡା, ଅମ୍ବିକା ପାଢ଼ୀ ପ୍ରମୁଖ ସାମିଲ ଥିଲେ ।