କଟକ: ପ୍ରତିଟି ବାଳିକା ଜଣେ ଜଣେ କନ୍ୟା ରତ୍ନ । ବାଳିକାମାନେ ନିଜର ଅନ୍ତର୍ନିହିତ ଗୁଣର ବିକାଶ କରି ନିଜକୁ ସଶକ୍ତ କରିବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବେ । ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ବକ୍ତାମାନେ ଏହି ମତପ୍ରକାଶ କରିଛନ୍ତି । ଅତିରିକ୍ତ ଜିଲ୍ଳାପାଳ ଉମାକାନ୍ତ ରାଜ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଳିକାମାନଙ୍କୁ ନିଜର ବ୍ୟକ୍ତିଗତ, ସାମାଜିକ, ପାରିବାରିକ ଓ ବୃତିଗତ ଜୀବନ ମଧ୍ୟରେ ସମତୁଲତା ରକ୍ଷା କରି ଅଗ୍ରସର ହେବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ବ୍ଲକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବାଳିକା ଟପ୍ପରମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ଛାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା ସହ ଏଭଳି କାର୍ଯ୍ୟକ୍ରମ ସେମାନଙ୍କୁ ପ୍ରେରଣା ଯୋଗାଇଥିବା ମତ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନ୍ତୋଷ କୁମାର ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରମୋଦ ଆଚାର୍ଯ୍ୟ, ଶିଶୁ ମଙ୍ଗଳ କମିଟି ସଦସ୍ୟ ହରିହର ନାୟକ ପ୍ରମୁଖ ଉପସ୍ଥିତ ରହି ସମାଜରେ ବାଳିକାମାନଙ୍କର ଭୂମିକା, ସେମାନଙ୍କର ଦାୟିତ୍ୱ, ନିଜ ମାନସିକ ଓ ଶାରୀରକ ସ୍ୱାସ୍ଥ୍ୟର ଯତ୍ନ, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଆଦି ପ୍ରସଙ୍ଗରେ ମନୋବଳ ବୃଦ୍ଧି କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।